ନୂଆଦିଲ୍ଲୀ: ସରିଛି ସାଧାରଣ ନିର୍ବାଚନ । ବିଜେପି ମେଣ୍ଟ ଏନଡିଏ ତୃତୀୟ ଥର ସଂଖ୍ୟାଗରିଷ୍ଠତା ହାସଲ କରିଛି । ତେବେ ବିଜେପିର ୪ ଶହ ପାର ନାରା ଫେଲ ମାରିଛି । ଏନଡିଏ ଯେଣତେଣ ପ୍ରକାର ସରକାର ଗଢ଼ିବାକୁ ସକ୍ଷମ ହୋଇଛି । ଏପଟେ ୨ ଶହ ପାର କରିଥିବା ଇଣ୍ଡିଆ ମେଣ୍ଟ ଯଦିଓ ସାରକାର ଗଠନ କରିବାକୁ ଦାବି କରିନି ତେବେ କୌଣସି ଖେଳ କରିବା ଯୋଜନାରେ ରହିଛି । ଏମିତି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଗୋଟିଏ ବିମାନରେ ଦେଖିବାକୁ ମିଳିଛି । ଆଗ ପଛ କରି ବସିଛନ୍ତି ଏହି ଦୁଇ ନେତା । ଉଭୟ ମିଶି ଦିଲ୍ଲୀ ଅଭିମୁଖେ ବହାରିଛନ୍ତି ।
ଦିଲ୍ଲୀରେ ଆଜି ଏନଡିଏ ବୈଠକ ଅନୁଷ୍ଠିତ ହେବ । ସେ ଏଥିରେ ଭାଗ ନେବେ । ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ଦିଲ୍ଲୀ ଆସୁଛନ୍ତି । ତେବେ ଗୋଟିଏ ବିମାନରେ ନୀତୀଶ ଓ ତେଜସ୍ୱୀ ଆସୁଥିବା ଜଣାପଡିଛି । ଏହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଇଣ୍ଡିଆ ମେଣ୍ଟର ନଜର ଏବେ ନୀତୀଶ କୁମାରଙ୍କ ଉପରେ ଥିବା ବେଳେ ଅନ୍ୟପଟେ ବିଜେପି ନୀତୀଶଙ୍କୁ ହାତଛଡା କରିବାକୁ ଚାହୁଁ ନାହିଁ । ତେଣୁ ଏଭଳି ସ୍ଥିତିରେ ଏମାନେ ଏକାଠି ଗୋଟିଏ ବିମାନରେ ଯାତ୍ରା କରିବାକୁ ନେଇ କେହି ସହଜରେ ହଜମ କରିପାରୁ ନାହାନ୍ତି । ପଲଟୁରାମ କୁହାଯାଉଥିବା ନିତିଶ ପୁଣି ଥରେ ପଲଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଲୋକସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସରକାର ଗଠନ ପୂର୍ବରୁ ବୁଧବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ ହେବ । ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ । ଏହି ବୈଠକରେ ଯୋଗଦେବା ପାଇଁ ଏନଡିଏ ସହ ଜଡିତ ସମସ୍ତ ଦଳର ନେତାଙ୍କୁ ଆଜି ଦିଲ୍ଲୀ ଡକାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବ୍ୟତୀତ ଚିରାଗ ପାଶୱାନ, ଜିତନ ରାମ ମାଞ୍ଜୀଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଛି । ସେ ଏହି ସଭାରେ ଯୋଗଦେବେ ।
ସେପଟେ ଇଣ୍ଡିଆ ମେଣ୍ଟର ମଧ୍ୟ ଆଜି ବୈଠକ ବସୁଛି । ଆଗକୁ ଆଲାଏନ୍ସର ରଣନୀତି କ’ଣ ରହିବ ସେ ନେଇ ଆଜି ସମସ୍ତ ନେତା ଏକାଠି ବସି ଆଲୋଚନା କରିବେ । ଏଥିପାଇଁ ଇଣ୍ଡିଆ ମେଣ୍ଟ ସହ ଜଡିତ ସମସ୍ତ ନେତା ଆଜି ଦିଲ୍ଲୀରେ ଡେରା ପକାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଏହି ବୈଠକ ବସିବ । ଏଥିରେ ତେଜସ୍ୱୀ ଯାଦବଙ୍କ ସମେତ ଅଖିଲେଶ ଯାଦବ, ଶରନ ପାଓ୍ୱାର ଓ ଅନ୍ୟାନ୍ୟ ନେତାମାନେ ଯୋଗ ଦେବେ ।