ଅମରାବତୀ: ଚନ୍ଦ୍ରବାବୁ ନାଇଡୁ ପୁଣି ହେବାକୁ ଯାଉଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ । ପୂର୍ବରୁ ସେ ଜୁନ୍ ୯ରେ ଶପଥ ନେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ ୯ ନୁହେଁ, ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପତ ନେବେ ଚନ୍ଦ୍ରବାବୁ ।
ଏହି ଶପଥ ସହ ତେଲୁଗ ଦେଶମ ପାର୍ଟି (TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପୂର୍ବରୁ ସେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ରେ ରାଜ୍ୟ ବିଭାଜନ ପରେ ତୃତୀୟ ପାଳି ପୂରା କରିଥିଲେ । କିନ୍ତୁ ୨୦୧୯ରେ YSR କଂଗ୍ରେସର ଜଗନ ମୋହନ ରେଡ୍ଡୀ ତାଙ୍କଠାରୁ ପଦ ଛଡ଼ାଇ ଆଣିଥିଲେ । ପାଞ୍ଚ ବର୍ଷ ପରେ ପୁଣି ସତ୍ତାକୁ ଫେରିଛନ୍ତି ଚନ୍ଦ୍ରବାବୁ ।
୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ପ୍ରଦେଶ ବିଧାନସଭା ପାଇଁ ଏଥର ହୋଇଥିଲା ଜୋରଦାର ଫାଇଟ୍ । YSR କଂଗ୍ରେସକୁ ସତ୍ତାରୁ ହଟାଇବା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମେଣ୍ଟ କରିଥିଲେ ଟିଡିପି ଓ ଜେଏସପି (ଜନ ସେନା ପାର୍ଟି) । ଟିଡିପିକୁ ୧୩୫ ଆସନ ମିଳିଥିବା ବେଳେ ଜନ ସେନାକୁ ୨୧ ଓ ବିଜେପିକୁ ମିଳିଥିଲା ୮ ଆସନ । ସଂଖ୍ୟା ଗରିଷ୍ଠତା ସହ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।