ଫିଲ୍ମ ପାଇଁ ମନ୍ତ୍ରୀ ପଦ ଛାଡିବେ ବିଜେପି ସାଂସଦ ସୁରେଶ ଗୋପୀ


ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କେରଳରେ ଖାତି ଖୋଲି ବିଜେପି ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିଛି । ଆଉ କେରଳରୁ ପ୍ରଥମ ବିଜେପି ସାଂସଦ ହୋଇଛନ୍ତି ସୁରେଶ ଗୋପୀ । ଦକ୍ଷିଣ ଭାରତରେ ସବୁବେଳେ ଦୃର୍ବଳ ରହିଥିବା ବିଜେପି ଏହାକୁ ଏକ ସୁଯୋଗ ଭାବି ନେଇଛି । ଏହାସହ ପ୍ରଥମ ବିଜୟରେ ହିଁ ସୁରେଶ ଗୋପୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ରବିବାର ଶପଥ ଗ୍ରହଣ ଉତ୍ସବରେ ସେ ବି ଶପଥ ନେଇଛନ୍ତି । ହେଲେ ସୁରେଶ ମନ୍ତ୍ରୀ ପଦ ଛାଡିବାକୁ ଚାହିଁଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୁରେଶ ମନ୍ତ୍ରୀ ହେବାକୁ ଇଚ୍ଛୁକ ନଥିବା କହିଛନ୍ତି । ଶପଥ ଗ୍ରହଣ ପରେ ଏକ ଆଞ୍ଚଳିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ମନ୍ତ୍ରୀ ପଦ ମାଗି ନଥିଲେ । ତେଣୁ ଶୀଘ୍ର ମୋତେ ମନ୍ତ୍ରୀ ପଦରୁ ମୁକ୍ତି ମିଳିବ ବୋଲି ବିଶ୍ୱାସ ରଖିଛି ।

ଏନେଇ ପ୍ରଶ୍ନର ଉତ୍ତର ଦେଇ ସୁରେଶ କହିଛନ୍ତି, ‘ମୁଁ ଫିଲ୍ମ ସାଇନ୍ କରିଛନ୍ତି, ଯାହାକୁ କୌଣସି ମତେ ପୂରଣ କରିବାକୁ ଚାହୁଁଛି । ତ୍ରିଶୁରର ସାଂସଦ ଭାବେ ଲୋକଙ୍କ ସେବା କରିବାରେକୁ ସୁଯୋଗ ମିଳିଛି । ଏଥିରେ ମୁଁ ଖୁସି ଅଛି ।’

ସୂଚନାଯୋଗ୍ୟ, ସୁରେଶ ଗୋପୀ ତ୍ରିଶୁର ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇ ବିଜେପିର ପ୍ରଥମ ସାଂସଦ ଭାବେ ରେକର୍ଡ କରିଛନ୍ତି । ସୁରେଶ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ସୁନୀଲ କୁମାରଙ୍କୁ ୭୪ ହଜାର ୬୮୬ ଭୋଟରେ ପରାଜିତ କରି ସାଂସଦ ହୋଇଛନ୍ତି ।

ସୁରେଶ ଗୋପୀ କହିଛନ୍ତି, ‘ମୋର ଉଦ୍ଦେଶ୍ୟ ସାଂସଦ ରୂପେ ଦାୟିତ୍ୱ ସମ୍ପାଦନ କରିବା । ମୁଁ କିଛି ମାଗିନି । ମୋର ମନ୍ତ୍ରୀ ପଦ ଆବଶ୍ୟକ ନାହିଁ ବୋଲି ମୁଁ ଆଗରୁ କହିଛି । ମୋର ବିଶ୍ୱାସ ମୋତେ ଖୁବ ଶୀଘ୍ର ଏହି ପଦରୁ ମୁକ୍ତ ଦିଆଯିବ । କାରଣ ମୋତେ ରାଜିନୀତି ସହ କୌଣସି ମତେ ଫିଲ୍ମ ବି କରିବାର ଅଛି ।’