ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ୩୩ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ ଓ କାନାଡା । ଏହି ମ୍ୟାଚ୍ ଫ୍ଲୋରିଡାରେ ଖେଳାଯିବ । ଭାରତୀୟ ଦଳ ପ୍ରଥମ ତିନୋଟି ମ୍ୟାଚ୍ ଜିତି ସୁପର-୮ରେ ପ୍ରବେଶ କରି ସାରିଛି । ଏହି ମ୍ୟାଚ୍ କେବଳ ଆନୁଷ୍ଠାନିକ ଭାବେ ଖେଳାଯିବ । ଆଜିର ମ୍ୟାଚରେ ଅଧିନାୟକ ରୋହିତ ଶର୍ମା କିଛି ଖେଳାଳିଙ୍କୁ ବିଶ୍ରାମ ଦେଇ ପାରନ୍ତି । ଫଳରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ ।
କାନାଡା ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟିଂ କ୍ରମରେ ପରିବର୍ତ୍ତନର ସମ୍ଭାବନା କମ ରହିଛି । ରୋହିତ ଶର୍ମାଙ୍କ ସହିତ ପୁଣି ଥରେ ବିରାଟ କୋହଲି ଓପନିଂ କରି ପାରନ୍ତି । ଚଳିତ ବିଶ୍ୱକପରେ କୋହଲିଙ୍କ ବ୍ୟାଟ୍ ଶାନ୍ତ ରହିଛି । ତେଣୁ ସୁପର-୮ ପୂର୍ବରୁ ଆଜି ମ୍ୟାଚରେ ରନ କରି ଫର୍ମକୁ ଫେରିବାକୁ ଚେଷ୍ଟା କରିବେ। ଅନ୍ୟପଟେ ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାର ଆଶା ରହିବ ।
ଯଦି ଭାରତୀୟ ଦଳରେ କିଛି ପରିବର୍ତ୍ତନର ସମ୍ଭାବନା ରହିଛି ତାହା ହେଉଛି ବୋଲିଂ ୟୁନିଟ । ଯଶପ୍ରୀତ ବୁମରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ପାରନ୍ତି । ଅନ୍ୟପଟେ ଅକ୍ଷର ପଟେଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ । ଯଦି ବୁମରାଙ୍କୁ ବିଶ୍ରାମ ଦିଆଯିବ ତେବେ ଭାରତ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଶାଇ ତିିନି ଜଣ ଦ୍ରୁତ ବୋଲର ରହିବେ । ଏମିତି ସମୀକରଣରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସୁଯୋଗ ମିଳିପାରେ ।
ଦୀର୍ଘ ସମୟ ହେବ ପ୍ରଶଂସକଙ୍କୁ କୁଲଚା ଯୋଡି ଦେଖିବାକୁ ମିଳିନାହିଁ । କିନ୍ତୁ ଆଜି ମ୍ୟାଚରେ ଏହି ଯୋଡିକୁ ଦେଖିବାକୁ ମିଳିପାରେ । ଏହା ବାଦ୍ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କମ ରହିଛି ।
ଭାରତୀୟ ଦଳର ସମ୍ଭାବିତ ଏକାଦଶ
ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ ।