ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି । କିଏ ହେବ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଅଙ୍କକଷା ଚାଲିଛି । ତେବେ ବିଜେପି ବିଧାୟିକା ସୁରମା ପାଢୀଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ସେ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି । କାରଣ ତାଙ୍କ ବ୍ୟତୀତ ଆଉ କେହି ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଭରି ନାହାନ୍ତି ।
ଯଦି ସୁରମା ବାଚସ୍ପତି ହୁଅନ୍ତି, ପ୍ରମିଳା ମଲ୍ଲିକଙ୍କ ପରେ ସେ ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି । ସୁରମାଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ସେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୁରମାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଦାଖଲ କରି ନଥିବାରୁ ସେ ହିଁ ନିର୍ବାଚିତ ହେବା ନିଶ୍ଚିତ ହୋଇଛି । ଆଜି ବାଚସ୍ପତି ନିର୍ବାଚନ ରହିଥିବାବେଳେ ସୁରମା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକ ପ୍ରକାଶ ନିଶ୍ଚିତ ହୋଇଛି ।
ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସୁରମା । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦ ପଦବୀରେ କାମ କରିଛନ୍ତି । ୨୦୦୪ରେ ୧୩ତମ ଓଡ଼ିଶା ବିଧାନସଭାକୁ ସେ ରଣପୁରରୁ ନିର୍ବାଚିତ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ସେ ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜୟୀ ହୋଇଛନ୍ତି ସୁରମା । ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ସେ ପରାସ୍ତ କରିଛନ୍ତି ।