Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୩୬ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ବର: ହକି ଇଣ୍ଡିଆର ପ୍ରାୟୋଜକ ଅବଧି ଆଉ ତିନି ବର୍ଷ ବଢ଼ାଇଲେ ଓଡ଼ିଶା ସରକାର । ୨୦୩୩ ନୁହେଁ ୨୦୨୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା । ୨୦୩୩ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ହେବାକୁ ନବୀନ ସରକାର ନିଷ୍ପତ୍ତି ନେଇଥିଲେ । ନୂଆ ସରକାର ଏହି ଅବଧି ଆଉ ୩ ବର୍ଷ ବଢାଇ ଦେଇଛନ୍ତି ।
ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂ, ମୁଖ୍ୟଶାସନ ସଚିବ ପି.କେ. ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।
୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି । ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ସ୍ପନସରସିପ ଅବଧି ସମୟକୁ ୨୦୩୩ରୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ଯମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
୨୦୧୮ ମସିହାରୁ ବିଜେଡି ସରକାର ସମୟରୁ ଓଡ଼ିଶା ଭାରତୀୟ ହକିର ପ୍ରାୟୋଜକ ରହିଛି । ସାହାର ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଓଡ଼ିଶା ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା । ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ହକି ଇଣ୍ଡିଆର ପ୍ରାୟୋଜକ ସାଜିଥିଲା ଓଡ଼ିଶା । ପ୍ରଥମେ ୨୦୧୮ରୁ ୫ ବର୍ଷ ପାଇଁ ୨୦୨୩ ମସିହା ଯାଏଁ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିଥିଲା । ପରେ ଅବଧିକୁ ୨୦୩୩ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ ନବୀନ ସରକାର ।
୨୦୧୮ ଓ ୨୦୨୩ରେ ଲଗାତାର ଦୁଇ ଥର ହକି ବିଶ୍ବକପ ଆୟୋଜନ କରି ବିଶ୍ବକୁ ଚମକାଇ ଦେଇଥିଲା ଓଡ଼ିଶା । ଓଡ଼ିଶାର ପ୍ରାୟୋଜକ ଅବଧିରେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲା । ସେତିକି ନୁହେଁ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା ମହିଳା ଦଳ । ହକିକୁ ପ୍ରୋତ୍ସାହନ ସହ ହକି ପ୍ରତି ଯୁବପୀଢିଙ୍କ ଆଗ୍ରହ ବଢାଇବା ପାଇଁ ପୂର୍ବ ସରକାର ବ୍ୟାପକ ପଦକ୍ଷେପ ନେଇଥିଲେ । ଏବେ ରାଜ୍ଯର ନୂଆ ସରକାର ସ୍ପନସରସିପ ଅବଧିକୁ ଆଉ ୩ ବର୍ଷ ବୃଦ୍ଧି କରି ଏହି ଧାରାକୁ ଆଉ ପାଦେ ଆଗକୁ ନେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ