ଚଲାପଥ ସମ୍ମାନ ରେ ସମ୍ମାନିତ ହେଲେ ଡ. ହିମାଂଶୁ ପାଢୀ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କୁ ଚଲାପଥ ସମ୍ମାନ ରେ ସମ୍ମିଳିତ କରାଯାଇଛି । ଭୁବନେଶ୍ୱର ସ୍ଥିତ ପୁରାତନ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଚଲାପଥ ପକ୍ଷରୁ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିପାଇଁ ଜଣାଶୁଣା ସାହିତ୍ୟିକ , ସଂସ୍କୃତି ଗବେଷକ , ଜାତୀୟ ସ୍ତରରେ ପ୍ରତିଷ୍ଠିତ ପରିଭ୍ରମଣ ଲେଖକ ଶ୍ରୀ ପାଢୀଙ୍କୁ ଚଲାପଥ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି I ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଜୟଦେବ ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କର ସାମଗ୍ରିକ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଥିଲା I ଏହି ଉତ୍ସବରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି , ଲବ୍ଧପ୍ରତିଷ୍ଠିତ ପ୍ରବନ୍ଧିକା ଡ଼. ଅର୍ଚନା ନାୟକ ବିଶିଷ୍ଟ ଅତିଥି , ସାହିତ୍ୟିକା ଡ଼. ସଂଘମିତ୍ରା ଭଞ୍ଜ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିଲେ I କବି ଓ କଥାକାର ନିରାକାର ଦାସ ଏବଂ ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ I ଡ଼. ଅର୍ଚନା ନାୟକ ହିମାଂଶୁଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମର୍ଦ୍ଧିତ କରିଥିଲେ I ଏଠାରେ ଉଲ୍ଲେଖଯୋଗ୍ୟଯେ ଡ଼. ପାଢୀଙ୍କ ଶିକ୍ଷାଦାନ କ୍ଷେତ୍ରରେ ୩୩ ବର୍ଷର ଅଭିଜ୍ଞତା ରହିଛି I ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତାଙ୍କର ତିନିଶହରୁ ଉର୍ଦ୍ଧ୍ୱ ପ୍ରବନ୍ଧ ରହିଛି I ଦେଶର ପ୍ରମୁଖ ସମ୍ବାଦପତ୍ର ଓ ପତ୍ରିକା ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ , ଦି ଟେଲିଗ୍ରାଫ, ସାହାରା ଟାଇମ , ଦି ପାଓନିୟର , ଓଡିଶା ପୋଷ୍ଟ , ଇଷ୍ଟର୍ଣ୍ଣ ଟାଇମ୍ସ , ଓଡିଶା ରିଭିୟୁ , ଟୁରିଜମ ଆଣ୍ଡ ୱାଇଲଡଲାଇଫ, ଟୁରିଜମ ଇଣ୍ଡିଆ , ଟ୍ରାଭେଲ୍ଳେର୍ସ ଓଡିଶା , ଏଲିଭ , ୱମେନ୍ସ ଏରା ପ୍ରଭୁତି ସମ୍ବାଦପତ୍ର ଓ ପତ୍ରିକାମାନଙ୍କରେ ତାଙ୍କଦ୍ୱାରା ଲିଖିତ ଅନେକ ପ୍ରବନ୍ଧ ଓ ଫିଚର ପ୍ରକାଶିତ ହୋଇଛି। ବୀରମହାରାଜପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି I