Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି, ରଥଯାତ୍ରାରେ ହୋଇପାରନ୍ତି ସାମିଲ

ଭୁବନେଶ୍ୱର: ରଥଯାତ୍ରାରେ ଯୋଗ ଦେବାକୁ ଆସି ପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଏଥର ରଥଯାତ୍ରାରେ ସାମିଲ ହେବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଜୁଲାଇ ୬ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି। ଏହି ସମୟରେ ରାଷ୍ଟ୍ରପତିଙ୍କର ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

୭ ଓ ୮ତାରିଖ ଦୁଇ ଦିନ ରାଷ୍ଟ୍ରପତି ପୁରୀରେ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏଥିସହ ରଥଯାତ୍ରାରେ ଯୋଗ ଦେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ତେବେ ରାଷ୍ଟ୍ରପତି ଓଡ଼ିଶା ଆସିବା ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ମିଳିନାହିଁ।

ଅନ୍ୟପକ୍ଷରେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି।।ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ଆଜି ବସିଛି ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ। ପୁରୀ ଟାଉନ୍ ହଲ ପରିସରରେ ଦିନ ୧୧ଟାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଏଥିରେ ରଥଯାତ୍ରା ସୁପରିଚାଳନା ନେଇ ବିସ୍ତୃତ ସମୀକ୍ଷା କରାଯାଇଛି । ବିଶେଷ କରି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି ।

ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ ଅନୁଯାୟୀ ବିଶେଷ ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଟ୍ରାଫିକ ସୁନିୟନ୍ତ୍ର, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ରେଳ ଚଳାଚଳ, ପରିବହନ ବ୍ୟବସ୍ଥା ଦିଗ ଉପରେ ଆଲୋଚନା ହୋଇଛି । ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ