ମହିଳାଙ୍କୁ ମାଡ଼ ପଡ଼ିଲା ମହଙ୍ଗା, ତିନି ପୋଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ


ଚାନ୍ଦବାଲି: ଥାନା ଭିତରେ ମହିଳାଙ୍କୁ ମାଡ଼ ମାରିବା ଚାନ୍ଦବାଲି ଥାନା ପୋଲିସକୁ ପଡିଛି ମହଙ୍ଗା । ତିନି ପୋଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ସେମାନଙ୍କୁ ଜିଲ୍ଲା ହେଡକ୍ବାର୍ଟର୍ସକୁ ବଦଳି କରାଯାଇଛି । କାର୍ଯ୍ୟାନୁଷ୍ଠାନ ହୋଇଥିବା ପୋଲିସ ବାବୁ ମାନେ ହେଲେ ଏଏସଆଇ ନେପାଳ ଶାହା, କନଷ୍ଟେବଳ ରବୀନ୍ଦ୍ର ସେଠୀ ଏବଂ ଜଣେ ହୋମଗାର୍ଡ । ତିନି ପୋଲିସ କର୍ମଚାରୀଙ୍କ ନାଁରେ ଚାନ୍ଦବାଲି ଥାନାରେ ହୋଇଥିଲା ଲିଖିତ ଅଭିଯୋଗ । ସେମାନଙ୍କ ବିରୋଧରେ ଅଧିକ ତଦନ୍ତ କରାଯାଉଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଚାନ୍ଦବାଲି ଏସଡିପିଓ ।
ଅଭିଯୋଗ ଅନୁସାରେ, ଚାନ୍ଦବାଲି ଥାନା ପରିସରରେ ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଜଣେ ମହିଳାଙ୍କୁ ମାଡ଼ ମାରିଥିଲେ ପୋଲିସ ବାବୁ । ଥାନାକୁ ସ୍ୱାମୀଙ୍କୁ ଭେଟିବାକୁ ଆସି ପୋଲିସଠାରୁ ମାଡ଼ ଖାଇଥିଲେ ମହିଳା ।
ଚାନ୍ଦବାଲି ଏନଏସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀଙ୍କୁ କୌଣସି ଏକ ଘଟଣାରେ ପୋଲିସ ଥାନାକୁ ଡକାଇଥିଲା । ମିତା ସ୍ୱାମୀଙ୍କୁ ଦେଖା କରିବା ପାଇଁ ଥାନାକୁ ଯାଇଥିଲେ । ସେଠାରେ ତାଙ୍କ ସହ ଥିବା କୁନି ପିଲାଟି ଏକ ଚପଲ ଖୋଳରେ ଖେଳୁଥିବା ବେଳେ ମିତା ସେହି ଖୋଳଟିକୁ ଭୁଲ ବଶତଃ ଥାନା ପରିସରକୁ ଫିଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ ରବୀନ୍ଦ୍ର ସେଠୀ ତାଙ୍କୁ ଡଷ୍ଟବିନରେ ପକାଇବାକୁ କହିଥିଲେ । ଏହାକୁ ନେଇ ମିତା ଏବଂ କନଷ୍ଟେବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କନଷ୍ଟେବଳ ରବୀନ୍ଦ୍ର ସେଠୀ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ସହିତ ଏଏସଆଇ ନେପାଳ ସାହା ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ମହିଳାଙ୍କୁ ମାଡ଼ ମାରିବା ସହ ଟେକି ଟେକି ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା ।