ଗଞ୍ଜାମ: ଘରର ଆର୍ଥିକ ସ୍ଥିତି ଥିଲା ଜଟିଳ । ବାହାରକୁ ଯାଇ କିଛି ରୋଜଗାର କଲେ ପରିବାର ଭଲରେ ଚଳିବ । ଏହି ଆଶା ନେଇ ଦାଦାନ ଖଟିବାକୁ ଯିବା ପାଇଁ ଘରୁ ଗୋଡ କାଢ଼ିଥିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସୁନାରିପଲ୍ଲୀ ଗାଁର ୨୧ ବର୍ଷିୟ ଯୁବକ ଜିତୁ ପ୍ରଧାନ । ହେଲେ କିଏ ଜାଣିଥିଲା ଏହି ଯାତ୍ରା ଥିଲା ତାଙ୍କର ଶେଷ ଯାତ୍ରା । ଟ୍ରେନରେ ଯିବା ବେଳେ ଖସି ପଡ଼ି ଜିତୁଙ୍କ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଜିତୁ କାମ କରିବାକୁ ଚେନ୍ନାଇ ଯାଉଥିଲା । ଏଥିପାଇଁ ସେ ଟ୍ରେନରେ ଚଢ଼ିଥିଲା । ତେବେ ବିଜୟଓ୍ବାଡା ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଜିତୁ ଟ୍ରେନରୁ କେମିତି ଖସି ପଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଚଳନ୍ତା ଟ୍ରେନରୁ ସେ ଖସି ପଡ଼ିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗାଁ ଲୋକେ । ଅସାବଧାନତା ବଶତଃ ସେ ଖସି ପଡ଼ିଛି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହାର ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଏପଟେ ଭେଣ୍ଡିଆ ପୁଅର ଏମିତି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ନା କାହାକୁ ଭୋକ ଅଛଇ, ନା କାହାକୁ ନିଦ ହେଉଛି । ପୁଅକୁ ଝୁରି ହେଉଛନ୍ତି ପରିବାର ଲୋକେ । ପରିବାର ଚଳାଇବାକୁ ଯାଇ ପୁଅ ଯେ ଆଉ କେବେ ତାଙ୍କ ପାଖକୁ ଫେରିବ ନାହିଁ ତାହା ଭାବିବା ବେଳକୁ ଛାତି କୋହରେ ଭରିଯାଉଛି ।