ଏବେ ବି ରହସ୍ୟ ଘେରରେ ଅଭିଷେକ ନିଖୋଜ ଘଟଣା ଜିଲ୍ଲାପାଳ ଓ ଏସପି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି


ଝାରସୁଗୁଡା ୩୦/୬ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୧୯ ଖଣ୍ଡ ମୌଜା ସେମେଲିଆ ଗ୍ରାମର ଭୀମ ପଧାନ ଙ୍କ ୧୪ ବର୍ଷର ପୁଅ ଅଭିଷେକ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ ଅପରାହ୍ନ ୩ ଟା ସମୟରୁ ନିଖୋଜ ଅଛନ୍ତି । କିନ୍ତୁ ନିଖୋଜ ହେବାର ଦୀର୍ଘ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁଲିସ ଏହାର ପ୍ରକୃତ ରହସ୍ୟ ଉନ୍ମୋଚନ ପାରିନାହିଁ । ଯାହାକୁ ନେଇ ପୁଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ପ୍ରକାଶ ଥାଉକି ୨୦୨୩ ମସିହା ସେପ୍ଟେମ୍ବର ୨୮ ତାରିଖ ଅପରାହ୍ନ ପ୍ରାୟ ୩ ଟା ସମୟରୁ ଖେଳିବାକୁ ଯାଉଛି କହି ଅଭିଷେକ ତାଙ୍କ ଘରୁ ସାଇକେଲ ଧରି ବାହାରି ଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କ ସାଙ୍ଗସାଥି ପାଖ ସାହି ପଡ଼ିଶା ଲୋକଙ୍କୁ ପଚାରି ବୁଝିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ସେମେଲିଆ ଗାଁ ଜଣେ ବ୍ୟକ୍ତି ଗାଁ ନିକଟରେ ଥିବା ପଥର ଖାଦାନ ପାଖରେ ଥିବା ଏକ ଗଛ ମୂଳରେ ଅଭିଷେକଙ୍କ ସାଇକେଲ ଟି ଥିବା ସୂଚନା ଦେଇଥିଲେ । ଖବର ପାଇ ଗ୍ରାମବାସୀଙ୍କ ସହ ପରିବାର ଲୋକେ ଯାଇ ଦେଖିଲା ବେଳକୁ ପଥର ଖାଦାନ ପାଖରେ ଥିବା ଏକ ଗଛ ମୂଳରେ ଅଭିଷେକ ଙ୍କ ସାଇକେଲ ଟି ତାଲା ପକାଇ ରଖା ଯାଇଛି । ଉକ୍ତ ପଥର ଖାଦାନ ର ଚତୁଃପାର୍ଶ୍ବରେ ଖୋଜାଖୋଜି କଲା ପରେ ମଧ୍ୟ ଅଭିଷେକ ଙ୍କ କୌଣସି ସନ୍ଧାନ ନ ମିଳିବାରୁ ତାଙ୍କ ବାପା ଭୀମ ପଧାନ ପୁଅର ନିଖୋଜ ସମ୍ବନ୍ଧରେ କଣ୍ଡେଇକେଲା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ପୁଲିସ ପ୍ରଶାସନ ଉପସ୍ଥିତିରେ ଜିଲ୍ଲା ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ କରିବା ସହିତ ଏକ ସ୍ୱତନ୍ତ୍ର ପୁଲିସ ଟିମ ପଡ଼ୋଶୀ ଛତିଶଗଡ଼ ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଅନୁସନ୍ଧାନ କରିଥିଲେ ମଧ୍ୟ ତାଙ୍କର କୌଣସି ସୁରାକ ପାଇ ନ ଥିଲେ । ଏ ସମ୍ପର୍କରେ କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସମରେନ୍ଦ୍ର ନାୟକ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ତଥାପି ଝାରସୁଗୁଡା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହାକୁ ଗୁରୁତ୍ୱ ସହ ବିଚାର କରି ଅଭିଷେକଙ୍କ ନିଖୋଜ ହେବାର ପ୍ରକୃତ ରହସ୍ୟ ର ପର୍ଦାଫାସ କରିବା ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।