କଳାହାଣ୍ଡି, ୦୩/୦୭ (ଜଗନ୍ନାଥ ନାଏକ) : ଦୁଃଖ ଯେବେ ଆସେ ସାଥି ସହୋଦର ନେଇ ଆସେ । ଜୀବନର ଗତିପଥ ବଦଳାଇ ଦିଏ । ଦିନ ଥିଲା ୨ ପୁଅ ଓ ପତ୍ନୀକୁ କୁ ନେଇ ହସଖୁସିରେ ଚଳୁଥିଲେ ଏଭଳି ଏକ ହୃଦୟ ବିତାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ର ଆନନ୍ଦ ମାଝୀ ଙ୍କ ଘରେ । ସ୍ବପ୍ନ ଥିଲା ୨ପୁଅଙ୍କୁ ବଡ ମଣିଷ କରିବାର । ହେଲେ ସ୍ବପ୍ନ ସ୍ବପ୍ନରେ ରହିଗଲା । ଅଧବାଟରେ ପତ୍ନୀ ଆରପାରିକୁ ଛାଡି ଚାଲିଗଲେ । ହେଲେ ସରିଲାନି ତାଙ୍କ ଦୁଃଖ । ଏହାପରେ ବୋଝ ଉପରେ ନଳିତା ବିଡ଼ା ସ୍ବରୂପ ପକ୍ଷାଘାତ ଭଲି ରୋଗରେ ଆକ୍ରାନ୍ତ ହେଇ ଚାଲିବା ଶକ୍ତି ହରାଇଲେ ଆନନ୍ଦ । ଏବେ ସେ ଶଯ୍ୟାଶାୟୀ ଅଛନ୍ତି । ନିଜ ନିତିଦିନିଆ କାମ କରିବାରେ ତାଙ୍କ ସାମର୍ଥ୍ୟ ନାହିଁ । ମାଟ୍ରିକ ପାଠ ପଢ଼ୁଥିବା ପୁଅ କୁଶଳେଶ୍ଵର ବାପାଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ପାଠପଢ଼ାରେ ଡୋରୀ ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି । ବର୍ତ୍ତମାନ ସେ ଅନ୍ୟ ଘରେ ମୂଲ ଲାଗି ପରିବାରକୁ ନିଜ କାନ୍ଧରେ ମୁଣ୍ଡାଇ ନେଇଛନ୍ତି । ଏଭଳି ସ୍ଥିତିରେ ବୃଦ୍ଧ ବାପାଙ୍କ ସହ ଘରେ ସାନ ଭାଇ ଶିଶିର ରହିଛି । ଶିଶିର ସପ୍ତମ ଶ୍ରେଣୀରେ ପାଠପଢୁଛି । ଆନନ୍ଦଙ୍କ କୌଣସି ସମ୍ପତ୍ତି ନଥିବାରୁ ଦୀର୍ଘଦିନ ହେବ ଗାଁର ଜଣେ ମାଲିକଙ୍କ ପୋଖରୀ ହୁଡ଼ାରେ ଥିବା କୁଡ଼ିଆରେ ରହି ଆସୁଛନ୍ତି । ସରକାରଙ୍କ ପକ୍ଷରୁ ଘର ଡିହ ଖଣ୍ଡିକ ମିଲିଥିଲେ ସୁଦ୍ଧା ଆବାସ ଯୋଜନାରେ ସାମିଲ ହେଇପାରିନାହିଁ । ବନ୍ଧ ହୁଡ଼ାରେ ତିନି ପ୍ରାଣୀ ଦୟନୀୟ ଜୀବନ ବିତାଉଛନ୍ତି । ଅନ୍ୟପଟେ ପରିବାର ପ୍ରତିପୋଷଣ କରୁଥିବା ବଡ଼ ପୁଅ କୁଶଳେଶ୍ଵର ମଧ୍ୟ କୌଣସି ଏକ ଅଜଣା ରୋଗରରେ ଆକ୍ରାନ୍ତ ଥିବା ଜଣାପଡୁଛି । ସମୟ ପୂର୍ବରୁ ଯଦି ସଠିକ ଭାବେ ଚିକିତ୍ସା କରାଯାଏ ସେ ଆରୋଗ୍ୟ ହୋଇଯିବ ବୋଲି ବାପା କୋଳାହଳ କଣ୍ଠରେ ସରକାରଙ୍କୁ ନିବେଦନ କରିଛନ୍ତି । ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେବା ନେଇ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ଏନେଇ ବିଡିଓ ବିଜୟ ମାଣ୍ଡାଙ୍ଗିଙ୍କ ସହ ଯୋଗାଯୋଗ କରିବାରୁ ଏସଇସିସି ତାଲିକା ପ୍ରସ୍ତୁତିରେ ତୃଟିପୂର୍ଣ ସର୍ଭେ ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯଦି କୌଣସି ପରିସ୍ଥିତିରେ ସମାଧାନ ପାଇଁ ନିର୍ଦ୍ଦେଶ ଆସିବ ଏଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି କହିଥିଲେ ।