ବେଲଗୁଣ୍ଠାର ଵିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ


ବେଲଗୁଣ୍ଠା, 20/06, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି I ଆଜି ବେଲଗୁଣ୍ଠା ସ୍ଥିତ ପେଣ୍ଠ ସାହି ଏବଂ ବାଲିଡ଼ି ସାହିରେ ରୀତିନୀତି ମୁତାବକ ପୂଜାବିଧି ସମ୍ପନ୍ନ ହେବା ସହିତ ପହଣ୍ଡି ବିଜେ ଏବଂ ଛେରା ପହଁରା ନୀତି ପରେ ରଥ ଟଣା ଯାଇଥିଲା I ସେହିପରି ବ୍ଳକ୍ ର ଗୋବରା, ଜୟନ୍ତୀଗଡ଼,ପାଇଲିପଡ଼ା ପ୍ରମୁଖ ଗ୍ରାମରେ ଉତ୍ସାହର ସହିତ ମହାପ୍ରଭୁଙ୍କ ରଥଟଣା ନୀତି ସମ୍ପନ୍ନ ହୋଇଛି I ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ସମସ୍ତ ଗ୍ରାମରେ ହଜାର ହଜାର ଲୋକ ଭକ୍ତିର ସହ ରଥ ଟାଣିଥିଲେ I ଗ୍ରାମଗୁଡିକରେ ଜନ ସମୁଦ୍ର ସୃଷ୍ଟି ହୋଇଥିବା ବେଳେ ହରିବୋଲ, ହୁଳହୁଳି ,ଗିନି,ଝାଞ୍ଜ,ମୃଦଙ୍ଗ ଏବଂ ପାରମ୍ପରିକ ବାଦ୍ୟରେ ଗାଆଁ ଦାଣ୍ଡ ଉଛୁଳି ପଡ଼ିଥିଲା I ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ଗାଙ୍ଗପୁର ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ I