ପୁରୀ: ରଥ ଟଣା ବେଳେ ଅଘଟଣ, ଜଣେ ମୃତ


ପୁରୀ: ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବେଳେ ଶ୍ରୀକ୍ଷେତ୍ରରେ ଘଟିଯାଇଛି ଅଘଟଣ । ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ନିକଟରେ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମଅତ୍ୟୁ ଘଟିଛି । ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ନିକଟରେ ଦଳାଚକଟା ହୋଇ ୮ରୁ ୧୦ ଜଣ ଭକ୍ତ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ତାଳଧ୍ୱଜ ରଥ ଟଣା ବେଳେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ମୃତ ବ୍ୟକ୍ତି ଜଣକ ରଥ କର୍ଡନ ପାର୍ଶ୍ୱରେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାରକାରୀ ଦଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସେପଟେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ସହିତ ଭୀଷଣ ଗୁଳୁଗୁଳି ହୋଇଥିଲା । ଏଥିପାଇଁ ପର୍ଯ୍ୟାୟ କ୍ରମେ ୬୦୦ରୁ ଅଧିକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ କେତେକ ଶ୍ରଦ୍ଧାଳୁ ମେଡ଼ିକାଲରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ଆଉ କିଛି ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।

ସେହିପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଅଘଟଣ ଘଟିଥିଲା । କର୍ଡନ ଭାଙ୍ଗି କିଛି ଶ୍ରଦ୍ଧାଳୁ ନନ୍ଦିଘୋଷ ରଥ ପାଖକୁ ଯିବାକୁ ଚେଷ୍ଟା କରିଥିଲେ । ଉପସ୍ଥିତ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଏହା ସମ୍ଭବ ହୋଇନଥିଲା । ଫଳରେ ନନ୍ଦିଘୋଷ ରଥ ପାଖରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ୮ରୁ ୧୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ କିଛି ପୋଲିସ କର୍ମଚାରୀ ବି ଥିବା ଜଣାପଡିଛି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଛି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।