ଆଜି ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବ ତିନି ଠାକୁର


ପୁରୀ: ରଥଯାତ୍ରା ପର୍ବର ଆଜି ସୁନାବେଶ । ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୂଢ଼ ୩ ଠାକୁର । ସକାଳ ୬ଟାରୁ ମଙ୍ଗଳ ଆଳତି ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ହେବ । ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ । ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ ।

ରାତି ପ୍ରାୟ ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । ତେଣୁ ସେଠାରୁ ହିଁ ଆଜି ଅଳଙ୍କାର ଅଣାଯାଇ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ ।

ଏହି ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ବେଳେ ରଥାରୂଢ଼ ଶ୍ରୀଜିଉଙ୍କ ସାମ୍ନାରେ କୌଣସି ସେବାୟତଙ୍କୁ ଛିଡ଼ା ହେବାକୁ ବାରଣ କରାଯାଇଛି । ଗତକାଲି ମଧ୍ୟ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜନ ସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର ।