ଟିକର ପଡ଼ାରେ ବ୍ୟାପିଛି ଝାଡ଼ାବାନ୍ତି, ଦୁଇ ବୃଦ୍ଧ ମୃତ,25 ରୁ ଉର୍ଦ୍ଧ୍ବ ଆକ୍ରାନ୍ତ,


ବେଲଗୁଣ୍ଠା, 18/07, ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଖେଳିଯାଇଛି ଆତଙ୍କ I ଗ୍ରାମରେ କିଛି ଦିନ ହେବ ଝାଡ଼ା ବାନ୍ତି ବ୍ୟାପିଥିବା ବେଳେ ପାଞ୍ଚ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ବୃ୍ଦ୍ଧ ମୃତ୍ୟୁ ବରଣ କରିଥିବା ବେଳେ 25 ରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି I ସେଥିରୁ 15 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦଶରୁ ଊର୍ଦ୍ଧ୍ଵ ବ୍ୟକ୍ତି ବିଭିନ୍ନ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ମୃତ ବୃଦ୍ଧ ଦୁଇ ଜଣ ହେଲେ ଗ୍ରାମର ଦେବ ଗୌଡ଼ (83) ଏବଂ କନ୍ଧ ସାହୁ (74) I ସୂଚନା ପ୍ରକାରେ ଗତ ଛଅ ତାରିଖରେ ଭଣ୍ଡାରି ସାହିର ନୀର ଗୌଡ଼ ଏବଂ ସୂର୍ଯ୍ୟ ଗୌଡ଼ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ I ଉଭୟେ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଗାଆଁକୁ ଫେରିଥିଲେ I ଚଉଦ ତାରିଖରେ ମଝି ସାହି ରେ ଏକ ବାହାଘର ଭୋଜି ହୋଇଥିଲା I ବାହାଘର ଭୋଜି ଖାଇ ହେଉ କିମ୍ବା ଦୂଷିତ ଜଳ ପିଇବା ହେତୁ ହେଉ ଗନ୍ଧିଆ ପ୍ରଧାନଙ୍କ ପରିବାରର ଚାରିଜଣ ସମ୍ପର୍କୀୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ I ଏହା ସହ ଗ୍ରାମର ଦେବଗୌଡ଼ (83) ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୂରୂତଇ ହୋଇ ଭଞ୍ଜନଗର ମେଡିକାଲ୍ ରୁ ବ୍ରହ୍ମପୁର ସ୍ଥାନାନ୍ତର ହେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା I ସେହିପରି ପନ୍ଦର ତାରିଖରେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଗ୍ରାମର ଅନ୍ୟ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ କନ୍ଧ ସାହୁ (74) ମୃତ୍ୟୁ ବରଣ କରିଥିଲେ I ଷୋହଳ ତାରିଖରେ ମେଡିକାଲ୍ ଟିମ୍ ଗ୍ରାମକୁ ଯାଇ ଗ୍ରାମାବସୀଙ୍କୁ ସଚେତନ କରାଇବା ସହ ଗ୍ରାମବାସୀଙ୍କୁ ଔଷଧ ଏବଂ ଓଆରଏସ୍ ବଣ୍ଟନ କରିଥିଲେ I ଏହା ସହ ପ୍ରତିଦିନ ଏ ଏନ ଏମ ଦିଦି ମଧୁସ୍ମିତା ସେଠି, ଆଶା ଦିଦି ଭାଗ୍ୟଲତା ଦାସ ଗ୍ରାମର ବିଭିନ୍ନ ପରିତ୍ୟକ୍ତ କୂଅରେ ବ୍ଲିଚିଂପାଉଡର ସିଞ୍ଚନ କରିଥିଲେ I ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଗ୍ରାମବାସୀ ଦୂଷିତ ଜଳ ବ୍ୟବହାର କରିବା ଯୋଗୁଁ ହିଁ ହୋଇଛି ବୋଲି ଅନୁମାନ କରାଯାଉଛି ଗ୍ରାମରେ ଏକବର୍ଷ ହେବ ପାନୀୟ ଜଳ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସରିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବାରୁ ପ୍ରକଳ୍ପରୁ ଗ୍ରାମାବସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରି ନାହିଁ I ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଗ୍ରାମରେ ଥିବା କିଛି ନଳକୂଅ ଏବଂ କିଛି ପରିତ୍ୟକ୍ତ କୁଅରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି I ବର୍ତ୍ତମାନ ବର୍ଷା ହେବା ପରେ ବାହାର ପାଣି କୂଅ ଭିତରେ ପଶିବା ଯୋଗୁଁ କୂଅ ଜଳ ଅଧିକ ଦୂଷିତ ହୋଇଥିଲା I ଏହି ପାଣିକୁ ହିଁ ପାନୀୟ ଜଳ ରୂପେ ବ୍ୟବହାର କରିଥିବା ବ୍ୟକ୍ତିମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କଥା ମେଡିକାଲ୍ ଟିମ୍ ଅନୁମାନ କରୁଛି I ଗତ ଚଉଦ ତାରିଖରୁ ଭଞ୍ଜନଗର ମେଡିକାଲରେ ପନ୍ଦରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ଦଶ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି I ବର୍ତ୍ତମାନ ଦୁଇଦିନ ହେବ ଭଞ୍ଜନଗର ମେଡିକାଲ୍ ରେ ଗ୍ରାମର କାଳିଆ ପ୍ରଧାନ ଚିକିତ୍ସିତ ହେଉଥିବା ବେଳେ ବାଦଲ ପ୍ରଧାନ,ଇତିଶ୍ରୀ ପ୍ରଧାନ, ଅଦିତି ରାଣୀ ପ୍ରଧାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି I ସେହିପରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗ୍ରାମର ପାଣ୍ଡବ ପ୍ରଧାନ,ସ୍ୱପ୍ନା ପ୍ରଧାନ, ସ୍ମୃତି ମହେଶ୍ୱତୀ ସେଠୀ, ସବୀତା ଦାସ, ପ୍ରସନ୍ନ ସାହୁ,ସୁରେନ୍ଦ୍ର ଗଉଡ, ସିପୁ ପ୍ରଧାନ,ସନ୍ଧ୍ୟାରାଣୀ ସାମନ୍ତରାୟ ଆଜି ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି I ସେହିପରି ଗ୍ରାମର ଆଉ କିଛି ଲୋକ ଆକ୍ରାନ୍ତ ହୋଇ ସ୍ଥାନୀୟ କ୍ୱାକ୍ କୂ ଭରସା କରି ଘରେ ରହି ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି I ତେବେ ଝାଡ଼ାବାନ୍ତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏକ ଉଚ୍ଚ ସ୍ତରୀୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଟିମ୍ ଗ୍ରାମରେ ରହି ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I