ବିଜେଡିର ନୂଆ ବସ୍ ସଂତୃପ୍ତ, ସ୍ୱୀକାର କଲେ ଦଳର ବରିଷ୍ଠ ନେତା


ଭୁୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଥିବା ବିଜୁ ଜନତା ଦଳ ଏବେ ବିରୋଧୀ ଦଳ ଆସନରେ । ଯେଉଁ ପାଣ୍ଡିଆନ ସିଣ୍ଡ୍ରୋମ ପାଇଁ ଦଳ ପରାଜିତ ହେଲା ସେହି ପାଣ୍ଡିଆନଙ୍କ ଅନୁଗତକୁ ବଡ ଦାୟିତ୍ୱ ଦେଇ ପୁଣି ଭୁଲ ମାର୍ଗରେ ବିଜେଡି ଯାଉଥିବା ଚର୍ଚ୍ଚା ହେଉଛି । ନିକଟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସଂତୃପ୍ତ ମିଶ୍ରଙ୍କୁ ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଆଉ ଏବେ ରାଜନୀତିର ‘ର’ ଅକ୍ଷର କି ଅଭିଜ୍ଞତା ନଥିବା ତଥା କର୍ପୋରେଟ ଜଗତରୁ ଆମଦାନୀ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିର ବରିଷ୍ଠ ନେତାମାନେ ନିଜର ‘ବସ୍‌’ ବୋଲି ଆଜି ବିଧିବଦ୍ଧ ଭାବେ ସ୍ୱୀକାର କରିଛନ୍ତି । ଶଙ୍ଖ ଭବନରେ ୨୦ ତାରିଖ ଆୟୋଜିତ ବୈଠକରେ ଦଳର ବରିଷ୍ଠ ଓ ତୁଙ୍ଗ ନେତାମାନେ ନବାଗତ ସଂତୃପ୍ତଙ୍କୁ ବିଜେଡିର ନୂଆ ବସ ବୋଲି ସ୍ୱୀକାର କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ।

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୭ ତାରିଖରେ ବିଜେଡିର ୧୯ଜଣିଆ ମୁଖପାତ୍ର ଟିମ୍ ଗଢ଼ିବା ପରେ ଶନିବାର ଶଙ୍ଖଭବନରେ ପ୍ରଥମଥର ପାଇଁ ବୈଠକ ହୋଇଥିଲା । ମୁଖପାତ୍ର ଟିମରେ ଦଳର ବହୁ ପୁରୁଖା ଓ ଅଭିଜ୍ଞ ନେତାମାନେ ଥିଲେ ମଧ୍ୟ ନବାଗତ ସନ୍ତୃପ୍ତ ମିଶ୍ରଙ୍କ ଠାଣି ଆଜି ‘ବିଜେଡି ବସ୍‌’ ଭଳି ହୋଇଥିବା ଜଣାପଡ଼ିଛି । ଟେବୁଲର ଶୀର୍ଷଭାଗରେ ଗୋଟିଏ ଚେୟାରରେ ଏକା ସନ୍ତୃପ୍ତ ମିଶ୍ର ବସିଥିଲେ । ଟେବୁଲର ଅନ୍ୟ ୩ ପାଖରେ ଦଳୀୟ ନେତାମାନେ ବସିବା, ବୈଠକକୁ ସନ୍ତୃପ୍ତ ପରିଚାଳନା କରିବା ଏବଂ ଦଳର ପୁରୁଖା ନେତାମାନେ ଏସବୁକୁ ନିରବରେ ସମ୍ମତି ଦେବା ହିଁ ବିଜେଡିରେ ସନ୍ତୃପ୍ତଙ୍କୁ ‘ନୂଆ କ୍ଷମତାକେନ୍ଦ୍ର’ର ସନ୍ଦେଶ ଦେଉଥିବା ଦଳୀୟ ମହଲରେ ଚର୍ଚ୍ଚା ।

ଆଜିର ବୈଠକରେ ଦଳର ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଅନୁପସ୍ଥିତ ରହିଥିଲେ ମଧ୍ୟ ସନ୍ତୃପ୍ତ ଯେଉଁ ଶୈଳୀରେ ବୈଠକରେ ନିଜର ଉପସ୍ଥିତି ଜାହିର କଲେ ତାହା ନବୀନ ଓ ପାଣ୍ଡିଆନଙ୍କ ବିନା ସମ୍ମତିରେ ହୋଇନ ଥିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେବେ ଯେଉଁ ଦୋଷତ୍ରୁଟି ପାଇଁ ଦଳର ୨୪ବର୍ଷର ଶାସନର ପତନ ହେଲା, ଏବେ ସେହି ତ୍ରୁଟିର ପୁନରାବୃତ୍ତି ପାଇଁ କିଭଳି ଦଳର ପୁରୁଖା ନେତାମାନେ ସୁଯୋଗ ଦେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦଳର ପ୍ରତିଷ୍ଠାତା ସଦସ୍ୟ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର,ବରିଷ୍ଠ ମିଡିଆ ସଂଯୋଜକ ପ୍ରତାପ ଜେନା, ବରିଷ୍ଠ ନେତା ଅରୁଣ ସାହୁ, ସୁଦାମ ମାର୍ଣ୍ଡି,ପ୍ରତାପ ଦେବ ଓ ରମେଶ ମାଝୀଙ୍କ ଭଳି ନେତା ବୈଠକରେ ଉପସ୍ଥିତ ଥିଲେ । ଏପରିକି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ନେତା କଳିକେଶ ସିଂହଦେଓ ଓ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ସାମିଲ ହୋଇଥିଲେ । ତେବେ ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ କିଭଳି ଦଳର ମହାସଚିବ ଭଳି ବୈଠକକୁ ପରିଚାଳନା କଲେ ଓ ଉପସ୍ଥିତ ପୁରୁଖା ନେତାମାନେ କେହି ଏନେଇ ଆପତ୍ତି ଉଠାଇଲେ ନାହିଁ ତାହା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଭିକେ ପାଣ୍ଡିଆନ ଧର୍ମକୁ ଆଖିଠାର ମାରିବା ଭଳି ରାଜନୀତିକ ସନ୍ୟାସ ନେଇଛନ୍ତି ଓ ନିଜର ପ୍ରତିନିଧି ଭାବେ କର୍ପୋରେଟ ଜଗତରୁ ଆମଦାନୀ ସନ୍ତୃପ୍ତ ମିଶ୍ରଙ୍କୁ ଆଗକୁ ଆଣିଛନ୍ତି । ତାଙ୍କୁ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ପଦରେ ରଖି ତାଙ୍କ ମାଧ୍ୟମରେ ସଂଗଠନ ଉପରେ ନିଜର ନିୟନ୍ତ୍ରଣ ରଖୁଥିବା ଜଣାପଡ଼ିଛି ।