ସ୍କୁଲରେ ପିଲାଙ୍କ କଳି: ଜଣଙ୍କ ମାଆକୁ ପିଟି ମାରିଦେଲେ ଅନ୍ୟ ଜଣଙ୍କ ବାପା


କଣ୍ଟାବାଞ୍ଜି: ପିଲାଙ୍କ ସ୍କୁଲ କଳିରୁ ମହାଭାରତ । ଜଣଙ୍କ ବାପାଙ୍କ ମାଡ଼ରେ ଚାଲିଗଲା ଅନ୍ୟ ପିଲାଙ୍କ ମାଆର ଜୀବନ । ପିଲା କଳି ନେଇଗଲା ଜଣେ ମହିଳାଙ୍କ ଜୀବନ । ମହିଳାଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ବାପା । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଖବର ଅନୁସାରେ, କଣ୍ଟାବାଞ୍ଜି ସହରର ନୂଆପଡା ଗାଁର ସୁଦାମ ବେହେରା ଓ ଚିଙ୍ଗିରିପଡା ଗ୍ରାମର ପୁଷ୍ପା ବଚ୍ଛାଙ୍କ ପୁଅ ଗୋଟିଏ ସ୍କୁଲରେ ପାଠ ପଢ଼ନ୍ତି । ଆଜି କୌଣସି କଥାକୁ ନେଇ ଦୁଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଷ୍ପାଙ୍କ ପୁଅକୁ ସୁଦାମଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ପୁଷ୍ପାଙ୍କୁ ତାଙ୍କ ପୁଅ ଜଣାଇଥିଲେ । ପରେ ପୁଷ୍ପା ସୁଦାମଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ସୁଦାମଙ୍କୁ କହିଥିଲେ ।

ସୁଦାମ କିଛି କଥା ଶୁଣିବା ଆଗରୁ ରାଗ ତମ ତମ ହୋଇ ପୁଷ୍ପାଙ୍କ ଉପରକୁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଏକ ଲୁହା ରଡ୍‌ରେ ସେ ପୁଷ୍ପାଙ୍କୁ ପ୍ରବଳ ପିଟିଥିଲେ । ଫଳରେ ସେ ଗୁରୁତର ହୋଇଯାଇଥିଲେ । ପରିବାର ଲୋକ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ଷାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସୁଦାମ କଣ୍ଟାବାଞ୍ଜି ଥାନାରେ ଆତ୍ମସମର୍ପଣ କରିଥିଲେ ।

ପୁଷ୍ପାଙ୍କ ମୃତ୍ୟୁ ଖର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଉତ୍ତ୍ୟକ୍ତ ଲୋକେ ।