ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ଏବେ ଭାରତରେ ଅବସ୍ଥାନ କରୁଥିବା ଶେଖ ହସିନାଙ୍କ କହିବା କଥା ସେଣ୍ଟ ମାର୍ଟିନ ଦ୍ୱୀପ ହସ୍ତାନ୍ତର ନ କରିବା କାରଣରୁ ଆମେରିକା ତାଙ୍କୁ କ୍ଷମତାରୁ ବେଦଖଲ କରି ଦେଇଛି । ଶେଖ ହସିନାଙ୍କ କହିବା କଥା ସେଣ୍ଟ ମାର୍ଟିନ ଦ୍ୱୀପ ମିଳିଥିଲେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବଢିଥାନ୍ତା ।
ଶେଖ ହସିନା ନିଜ ବାର୍ତ୍ତାରେ ବାଂଲାଦେଶୀ ନାଗରିକଙ୍କୁ କଠୋରପନ୍ଥୀଙ୍କ କଥାରେ ନ ପଡିବାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ମୁଁ ଇସ୍ତଫା ଏଥିପାଇଁ ଦେଲି ଯଦ୍ୱାରା ମୋତେ ଶବର ଶୋଭାଯାତ୍ରା ଦେଖିବାକୁ ଚାହୁଁ ନ ଥିଲି । ସେମାନେ ଛାତ୍ରଙ୍କ ଶବ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ । ମାତ୍ର ମୁଁ ଏମିତି ହେବାକୁ ଦେଲିନି । ଆଉ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲି ।
ଶେଖ ହସିନା ଏହା ମଧ୍ୟ କହିଛନ୍ତି, ମୁଁ କ୍ଷମତାରେ ରହି ପାରିଥାନ୍ତି, ଯଦି ମୁଁ ସେଣ୍ଟ ମାର୍ଟିନ ଦ୍ୱୀପର ସାର୍ବଭୌମତ୍ୱକୁ ତ୍ୟାଗ କରି ଦେଇଥାନ୍ତି ଏବଂ ଆମେରିକାକୁ ବଙ୍ଗୋପସାଗରରେ ନିଜର ପ୍ରଭାବ ରଖିବାକୁ ଦେଇଥାନ୍ତି । ମୁଁ ନିଜ ଦେଶବାସୀଙ୍କୁ ବିନତି କରୁଛି ଯେ, ଦୟା କରି କଠୋପନ୍ଥୀଙ୍କ ଜାଲରେ ପଡନ୍ତୁ ନାହିଁ । ସେମାନଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ ।
ଯଦି ମୁଁ ଦେଶରେ ରହିଥାନ୍ତି ତେବେ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥାନ୍ତା ଏବଂ ଅଧିକ ସରକାରୀ ସଂପତ୍ତି ନଷ୍ଟ ହୋଇ ଯାଇଥାନ୍ତା । ମୁଁ ଦେଶରୁ ବାହାରିବା ପାଇଁ ବହୁତ କଠିନ ନିର୍ଣ୍ଣୟ ନେଇଛି । ମୁଁ ଆପଣଙ୍କ ନେତା ହେଲି କାରଣ ଆପଣମାନେ ମୋତେ ଚୟନ କରିଛନ୍ତି । ଏହା ଜାଣି ବହୁତ ଦୁଃଖିତ ଯେ, ଅନେକ ନେତାଙ୍କୁ ହତ୍ୟା କରାଗଲା ଏବଂ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ହଇରାଣ କରାଯାଉଛି । ମୁଁ ଶୀଘ୍ର ବାଂଲାଦେଶ ଫେରିବି ବୋଲି ଶେଖ ହସିନା କହିଛନ୍ତି ।