ଜୀବନର ଶେଷ ସେଲଫି ନେଇ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ ଦମ୍ପତି


ଲକ୍ଷ୍ନୌ: ଋଣ ବୋଝ ନେଇଗଲା ଦମ୍ପତିଙ୍କ ଜୀବନ । ଋଣ ପରିଶୋଧ କରି ନପାରିବା କାରଣରୁ ଗଙ୍ଗା ନଦୀକୁ ଢେଇ ଆତ୍ମହତ୍ୟା କଲେ ଦମ୍ପତି । ଆଉ ଆତ୍ମହତ୍ୟା ପୂର୍ବରୁ ଉଠାଇଥିଲେ ତାଙ୍କର ଶେଷ ସେଲଫି । ଏହି ସେଳଫି ଫଟୋକୁ ସାଙ୍ଗଙ୍କ ପାଖକୁ ପଠାଇ ଲେଖିଥିଲେ, କରଜରେ ବୁଡ଼ି ସାରିଲୁଣି । ସୁଧ ଦେଇ ଦେଇ ନୟାନ୍ତ ହେଲୁଣି । ଆମ ପାଖରେ ଆଉ ଦେବାକୁ କିଛି ନାହିଁ । ତେଣୁ ଆମେ ନିଜ ଜୀବନ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛୁ । ଏହାପରେ ଉଭୟ ଗଙ୍ଗା ନଦୀକୁ ଢେଇଁ ପଡ଼ି ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା କରିବା ପାଇଁ ସେମାନେ ବାଇକରେ ଶହେ କିମି ଆସିଛନ୍ତି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟଣା ଘଟିଛି ହରିଦ୍ୱାରରେ ।

ଦମ୍ପତି ହେଲେ ଉତ୍ତପ୍ରଦେଶ ସହାରନପୁର ନିବାସୀ ସୌରଭ ବବ୍ବର ଏବଂ ମୌନା ବବ୍ବର । ପୋଲିସ୍‌ ଗଙ୍ଗା ନଦୀରୁ ସୌରଭଙ୍କ ମୃତଦେହ ଉଦ୍ଧାର କରିବା ପରେ ତାଙ୍କ ଶବ ସତ୍କାର କରାଯାଇଛି । ମାତ୍ର ମୌନାଙ୍କ ପତ୍ତା ମିଳି ପାରିନାହିଁ।

ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ । ଉଭୟଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି ।

ମାତ୍ର ଗତ କିଛିବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା ଧାରକରଜରେ ବୁଡ଼ି ଯାଇଥିଲେ । ଏପରିକି କରଜ ଟଙ୍କାର ସୁଧ ବି ପରିଶୋଧ କରି ପାରୁ ନଥିଲେ । ଏହାକୁ ନେଇ ଋଣଦାତାମାନେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ । ଏନେଇ ସେ ନିଜ ପତ୍ନୀଙ୍କୁ ଜଣାଇବା ପରେ ଉଭୟ ଚରମ ନିଷ୍ପତ୍ତି ନେଇଥିଲେ ।

ଏହାପରେ ଘରୁ ବାହାରି ହରିଦ୍ୱାରସ୍ଥିତ ଗଙ୍ଗା ନଦୀ କୂଳକୁ ଆସିଥିଲେ । ସେଠାରେ ଏକ ବ୍ରିଜ ଉପରେ ସେମାନେ ନିଜ ଜୀବନର ଶେଷ ସେଲଫି ଉଠାଇଥିଲେ । ଏଥିସହ ଆତ୍ମହତ୍ୟା କରୁଥିବା ନେଇ ନିଜ ସାଙ୍ଗକୁ ହ୍ୱାଟ୍ସଆପ୍‌ରେ ମେସେଜ କରିଥିଲେ । ଏହାପରେ ଉଭୟ ଗଙ୍ଗା ନଦୀକୁ ଡେଇଁ ପଡ଼ିଥିଲେ । ସୌରଭଙ୍କ ସାଙ୍ଗ ତୁରନ୍ତ ତାଙ୍କ ପରିବାରବର୍ଗଙ୍କୁ ଏନେଇ ସୂଚନା ଦେଇଥିଲେ । ଏହାପରେ ପରିବାର ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ହରିଦ୍ୱାର ପୋଲିସ୍‌ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜଖୋଜି କରି ସୌରଭଙ୍କ ମୃତଦେହ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ପରିବାର ଲୋକେ ଶୋକାକୂଳ ପରିବେଶରେ ସୌରଭଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ବେଳେ ତାଙ୍କ ପତ୍ନୀ ମୌନାଙ୍କ ପତ୍ତା ମିଳିପାରିନି ।