କୋଲକାତା: ଉଗ୍ର ହେବାରେ ଲାଗିଛି କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ । ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି । ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ଡାକରା ଦେଇଛି ବିଜେପି ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଓ ପୋଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି । ଏହାର ପ୍ରଭାବ ଆଜି ସକାଳୁ ହିଁ ଦେଖିବାକୁ ମିଳିଛି । ମୁର୍ଶିଦାବାଦରେ ଭାଗିରଥି ଏକ୍ସପ୍ରେସକୁ ଦେଢ଼ ଘଣ୍ଟା ଅଟକାଇ ଦିଆଯାଇଛି । ସେପଟେ ବ୍ୟାରକପୁର ଷ୍ଟେସନରେ ଲୋକେ ରେଲଓ୍ୱେ ଟ୍ରାକ୍ ଉପରେ ବସି ଧାରଣା ଦେଇଛନ୍ତି ।
ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି । ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ ସାମିଲ ହେଉଛନ୍ତି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ସକାଳ ୧୧ଟାରେ ବାହୁଇହାଟିରେ ବନ୍ଦକୁ ସମର୍ଥନ କରି ପ୍ରଦର୍ଶନ କରିବେ । ରୁପା ଗାଙ୍ଗୁଲି, ଲକେଟ୍ ଚାଟାର୍ଜୀ, ଅଗ୍ନିମିତ୍ରା ପଲ୍ ଏବଂ ରାହୁଲ ସିହ୍ନା ସକାଳ ୧୦ଟାରୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବେ ।
ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ଛାତ୍ରଛାତ୍ରୀମାନେ ନବାନ୍ନ ବା ପଶ୍ଚିମବଙ୍ଗ ସରକାରଙ୍କ ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରା କରିଥିଲେ । ଏତିକି ବେଳେ, ହାୱଡ଼ା ସାନ୍ତରାଗାଛିରେ ପୋଲିସ ସେମାନଙ୍କୁ ରୋକିବା ପାଇଁ ବ୍ୟାରିକେଡ୍ ଲଗାଇବା ସହ ପାଣିମାଡ଼, ଲୁହ ବୁହା ଗ୍ୟାସ୍ ଓ ଲାଠି ଚାର୍ଜ କରିଥିଲା । ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ଦୋକାନ ବଜାର ବନ୍ଦ ରଖିବାକୁ ଡାକରା ଦେଇଛି ବିଜେପି । କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କୁହାଯାଇଛି ।
ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, ଆଜି ଜୀବନଯାତ୍ରା ସ୍ୱାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର । ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ । ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ ।