ଗାଙ୍ଗପୁରରେ ପାଳିତ ହେଲା ଐତିହାସିକ ପର୍ବ ନଳଯାତ୍ରା


ବେଲଗୁଣ୍ଠା,୧୪/୦୯, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ପ୍ରାଚୀନ ପରମ୍ପରା ମୁତାବକ ଆଜି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର ପୂଜା ମଣ୍ଡପରେ ଗଙ୍ଗାଜଳରେ ଶୋଧନ କରାଯିବା ସହିତ ନଳ ଗୁଡ଼ିକୁ ଗ୍ରାମର ଆରାଧ୍ୟା ମାଆ ବ୍ରାହ୍ମଣୀ ଦେବୀ, ମାଆ ରତ୍ନେଇ ଏବଂ ମାଆ କାଳୀଙ୍କ ପ୍ରତିନିଧି ରୂପରେ ରଙ୍ଗବେରଙ୍ଗ କପଡ଼ା ଏବଂ ଫୂଲରେ ସଜାଇ ଦିଆଯାଇଥିଲା I ଏହା ପରେ ସାରା ଗ୍ରାମରେ ଗଙ୍ଗାଜଳ ସିଞ୍ଚନ କରାଯାଇ ମଣ୍ଡପ ନିକଟରେ ହୋମକର୍ମ ଅନୁଷ୍ଠିତ ହୋଇଥିଲା I ଗ୍ରାମର ଦେବ ଗୌଡ଼ଙ୍କ ଘରୁ ଦେବୀଙ୍କୁ ଆବାହନ କରାଯାଇଥିଲା I ବିଶ୍ୱାସ ଅଛି ପ୍ରାଚୀନ ସମୟରୁ ଗ୍ରାମର ଦେବ ଗୌଡ଼ଙ୍କ ଘରେ ଏକ ଦଣ୍ଡରେ ଦେବୀ ଅବସ୍ଥାନ କରି ଆସୁଛନ୍ତି I ଆବାହନ ସମୟରେ ଏହି ଦଣ୍ଡଟି ଆପେ ଆପେ ପୂଜକ ହାତକୁ ଡ଼େଇଁ ଚାଲିଆସେ I ଆଜି ମଧ୍ଯ ସେହି ପ୍ରଥା ଅନୁସାରେ ଦେବୀଙ୍କୁ ଆବାହନ କରାଯାଇଥିଲା I ଏହାପରେ ସକାଳୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ଗ୍ରାମର ଗୋପାଳକୃଷ୍ଣ ଗୌଡ,ରୋହିତ୍ ନାୟକ ଏବଂ ମେଣ୍ଟପୁର ଗ୍ରାମର ଶଙ୍କର ସ୍ୱାଇଁ ଯଥାକ୍ରମେ ମାଆ ବ୍ରାହ୍ମଣୀଦେବୀ,ମାଆ ରତ୍ନେଇ ଏବଂ ମାଆ କାଳୀରୂପୀ ନଳ ଗୁଡ଼ିକୁ ଧାରଣ କରି ଜଙ୍ଗଲରେ ଥିବା ମାଆ ରତ୍ନେଇ ଏବଂ ମାଆ କନ୍ଧୁଣି ଦେବୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ I ସେଠାରେ ବିଧିମୁତାବକ ପୂଜା ସରିବା ପରେ ତିନି ଦେବୀ ପାରମ୍ପରିକ ବାଦ୍ୟ ବାଜଣାରେ ନାଚି ନାଚି ଗାଆଁକୁ ଫେରି ପ୍ରତି ଘର ସମ୍ମୁଖରେ ଭୋଗ ଗ୍ରହଣ କରିଥିଲେ I ହୁଳହୁଳି,ହରିବୋଲ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଥିଲା I ଏହି ଅବସରରେ ଗ୍ରାମର କୃଷି,ପଶୁ ସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା I ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଏହି ଉତ୍ସବରେ ଅଂଶ୍ରଗହଣ କରିଥିଲେ I ଏହା ସହ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ଏହି ପର୍ବରେ ସାମିଲ୍ ହୋଇଥିଲେ I ଉତ୍ସବର କର୍ତ୍ତା ରୂପେ ଜୁରିଆ ସ୍ୱାଇଁ ଏବଂ ପୁରୋହିତ ଭାବେ ହରିହର ତ୍ରୀପାଠି,ଅଶୋକ ରଥ, ବସନ୍ତ ପୁରୋହିତ କାର୍ଯ୍ୟ ତୁଲାଇଥିଲେ I କାର୍ଯ୍ୟକ୍ରମରେ ଗ୍ରାମର ବାରିକ, ଜାନୀ, ଶିବ ମନ୍ଦିର ପୂଜକ, ଗ୍ରାମ୍ୟ ପରିଚାଳନା କମିଟି,ଶିଶୁ ସଂକୀର୍ତ୍ତନ ମଣ୍ଡଳୀ, ଯୁବକ ସଂଘ ସହଯୋଗ କରିଥିଲେ I ପ୍ରକାଶ ଥାଉକି ଗ୍ରାମର ଏହି ପର୍ବ ପ୍ରତିବର୍ଷ ଗଣେଶ ଚତୁର୍ଥୀ ପରବର୍ତ୍ତୀ କୌଣସି ମଙ୍ଗଳବାର କିମ୍ବା ଶନିବାର ତିଥିରେ ପାଳନ ହୋଇଆସୁଛି I ସେହିପରି ଏହି ନଳଯାତ୍ରା ନିକଟସ୍ଥ ପାଲକଷଣ୍ଢା,ବୋରୀ ଏବଂ ନିମିନା ଗ୍ରାମରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି I