ସମ୍ବଲପୁରରେ ସକ୍ରିୟ ହେଲେଣି ରାସେଶ୍ଵରୀ, ଜୟନାରାୟଣଙ୍କୁ ମାତ୍ ଦେବା ପାଇଁ ଚାଲିଛି ଅଙ୍କକଷା !


ସମ୍ବଲପୁର : ଏବେଠୁ ଶୁଭିଲାଣି ନିର୍ବାଚନର ପଦଧ୍ଵନୀ। ଆରମ୍ଭ ହେଲାଣି ସମଜରସଜ୍ଜା। କେମିତି ଗଡ ରକ୍ଷା କରିବେ ଏବଂ ଅଧିକରୁ ଅଧିକ ଆସନ କବଜା କରି ସରକାରକୁ ଆସିବେ ସେ ନେଇ ଚାଲିଛି ଅଙ୍କକଷା। ଏସବୁ ମଧ୍ୟରେ ଐତିହାସିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ପଶ୍ଚିମ ଓଡିଶାରେ ଅତ୍ୟନ୍ତ ଗୁରୁତ୍ଵ ବହନ କରୁଥିବା ସମ୍ବଲପୁର ଉପରେ ସଭିଙ୍କ ନଜର ରହିଛି। ବିଶେଷ କରି ଏହି ଆସନରୁ ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଛି। ସମ୍ବଲପୁର ବିଜେପିର ଗଡ ଭାବେ ରହି ଆସିଛି। ବର୍ତ୍ତମାନ ବିଧାୟକ ହେଉଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ପଶ୍ଚିମ ଓଡିଶାରୁ ନେତୃତ୍ଵ ନିର୍ଦ୍ଧାରଣ କରୁଥିବା ଏହି ଆସନ କବଜା କରିବା ପାଇଁ ବିଜେପି ଏବଂ ବିଜେଡି ଶିବିରରେ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କଂଗ୍ରେସ ଟିକେ ଧିମେଇ ଯାଇଥିଲେ ବି ସକ୍ରିୟ ହୋଇ ଉଠିଲାଣି। କାରଣ ପଶ୍ଚିମ ଓଡିଶାର ନେତୃତ୍ଵ ସମ୍ବଲପୁରରୁ ହିଁ ନିର୍ଦ୍ଧାରଣ ହୋଇଥାଏ।

ଓଡିଶା ରାଜନୀତିରେ ଚର୍ଚ୍ଚିତ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ହେଉଛି ସମ୍ବଲପୁର। ଓଡିଶାରେ 23 ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସରକାରରେ ଥିବା ବିଜୁ ଜନତା ଦଳ ୨୦୧୪ରେ ପ୍ରଥମ ଥର ଏଠାରେ ବିଜୟ ଲାଭ କରିଥିଲା। ଆଉ ବିଜେଡିକୁ ଏହି ବିଜୟ ଦେଇଥିଲେ ରାସେଶ୍ଵରୀ ପାଣିଗ୍ରାହୀ। ପେଶାରେ ଡାକ୍ତର ଶ୍ରୀମତି ରାସେଶ୍ଵରୀ ବିଜେପିର ପୁରୁଖା ନେତା  ଜୟ ନାରାୟଣ ମିଶ୍ରଙ୍କୁ ମାତ୍ ଦେଇଥିଲେ। ହେଲେ ୨୦୧୯ରେ ସେ ଜୟ ନାରାୟଣଙ୍କଠୁ ପରାସ୍ତ ହୋଇଥିଲେ। ହେଲେ ଆଗାମୀ ନିର୍ବାଚନ ପାଇଁ ରାସେଶ୍ଵରୀ ପାଣିଗ୍ରାହୀ ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହି ନିଜର ସଂଗଠନ ଚଳାଇଛନ୍ତି। ତୃଣମୂଳ ସ୍ତରରେ ଭୋଟରଙ୍କ ମୁଡ୍ ପରଖୁଛନ୍ତି। ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗି ପଡିଛନ୍ତି।

ଉଲ୍ଲେଖନୀୟ ୨୦୧୯ ନିର୍ବାଚନରେ ରାସେଶ୍ଵରୀ ମାତ୍ର ୪୩୮୦ ଖଣ୍ଡ ଭୋଟରେ ଜୟନାରାୟଣଙ୍କଠୁ ପରାଜିତ ହୋଇଥିଲେ। ଏଥର ବିରୋଧୀ ଦଳ ନେତାଙ୍କୁ ମାତ୍ ଦେବା ପାଇଁ ବିଜେଡି ରଣନୀତସ୍ଵରୂପ ମହିଳା ଭୋଟରଙ୍କ ଉପରେ ନଜର ରଖିଛି। ଅନ୍ୟପଟେ, ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରି ଅକଳରେ ପକାଇଥିବା ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଶାଣିତ ଆକ୍ରମଣ ଦ୍ୱାରା ଲୋକପ୍ରିୟତା ଅର୍ଜନ କରିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବସ୍ତି ଅଞ୍ଚଳରେ ଜୟନାରାୟଣ ନିଜର ଦବ୍‌ଦବାକୁ ଏବେ ବି ଅକ୍ଷୁର୍ଣ୍ଣ ରଖି ଆସିଛନ୍ତି । ତେଣୁ ରାସେଶ୍ଵରୀ ପାଣିଗ୍ରାହୀ ବସ୍ତି ଅଞ୍ଚଳର ଭୋଟରଙ୍କ ଭୋଟ୍  ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି।

୨୦୧୪ରେ ଥରୁଟିଏ ବିଜେଡି ପ୍ରାର୍ଥୀ ରାସେଶ୍ଵରୀ ପାଣିଗ୍ରାହୀ ବିଜୟ ଲାଭ କରି ପାରିଥିଲେ। ଉକ୍ତ ନିର୍ବାଚନରେ ସେ ୪୭,୯୦୧ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ୫୨,୯୬୯ ଖଣ୍ଡ ଭୋଟ୍ ମିଳିଥିଲା । ଭୋଟ୍ ସଂଖ୍ୟା ବଢିଥିଲେ ମଧ୍ୟ ସେ ପରାଜିତ ହୋଇଥିଲେ। ୨୦୧୪ରେ ୩୮ ହଜାର ଭୋଟ୍ ପାଇଥିବା ଜୟନାରାୟଣ ୨୦୧୯ରେ ପ୍ରାୟ ୨୦ ହଜାର ଭୋଟ୍ ଅଧିକ ଅର୍ଥାତ ୫୭୩୪୯ ଭୋଟ୍ ପାଇଥିଲେ। ୨୦୧୪ରେ କଂଗ୍ରେସର ସୁରେଶ୍ଵର ମିଶ୍ର ୧୯,୦୨୦ ଖଣ୍ଡ ଭୋଟ୍ ପାଇଥିବା ବେଲେ ୨୦୧୯ରେ ଡାକ୍ତର ଅଶ୍ଵିନୀ କୁମାର ପୂଝାରୀ ୧୧,୬୫୨ ଭୋଟ୍ ପାଇଥିଲେ। ଅର୍ଥାତ ଅଶ୍ଵିନ ପ୍ରାୟ ୧୦ ହଜାର ଭୋଟ୍ ସେ କମ ପାଇଥିଲେ । ପରିସଂଖ୍ୟାନରୁ ଜଣାପଡେ ଏହି ଭୋଟ୍ ବିଜେପି ନେତା ଜୟନାରାୟଣ ମିଶ୍ର ହାତେଇବାରେ ସଫଳ ହୋଇଥିଲେ । ଏହା ହିଁ ରାସେଶ୍ଵରୀଙ୍କ ପରାଜୟର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ଥିଲା। ତେଣୁ ଏଥର ବିଜେଡି କଂଗ୍ରେସ ଭୋଟ୍ କେମିତି ବିଜେପି ଖାତାକୁ ନଯିବ ତାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରୁଛି।

ସ୍ଵାଧୀନ ପରଠୁ ସମ୍ଵଲପୁର ନିର୍ବାଚନ ମଣ୍ଡଳୀର ଇତିହାସ ଉପରେ ନଜର ପକାଇଲେ ଏହି ଆସନରେ କଂଗ୍ରେସ ସାତ ଥର ବିଜୟୀ ହୋଇଛି। ବନମାଳୀ ବାବୁଙ୍କ ଠାରୁ ନେଇ ଶ୍ରୀବଲ୍ଲଭ ପାଣିଗ୍ରାହୀ, ଦୁର୍ଗାଶଙ୍କର ପଟ୍ଟନାୟକ ଭଳି ନେତା ସମ୍ବଲପୁର ଆସନରେ କଂଗ୍ରେସକୁ ପ୍ରତିନିଧିତ୍ଵ ଦେଇଥିଲେ। ସମୟରେ ପରିବର୍ତ୍ତନ ଆସିଛି। ମହାନଦୀରେ କେତେ ପାଣି ବହିଗଲାଣି। ଦଳ ନେତୃତ୍ଵଠୁ ନେଇ ସାଙ୍ଗଠନିକ ସ୍ତର ପର୍ଯ୍ୟନ୍ତ ଦୁର୍ବଳ ହୋଇ ସାରିଛି। ୨୦୦୦ ମସିହା ପର ଠାରୁ ଦଳ ସମ୍ବଲପୁର ଆସନକୁ ଅକ୍ତିଆର କରିପାରି ନାହିଁ । ଦେଖିବା ବାକି ରହିଲା ଜୟନାରାୟଣଙ୍କୁ ପରାହତ କରିବା ପାଇଁ ବିଜେଡି ରାସେଶ୍ଵରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରୁଛି ନା ଅନ୍ୟ କେଉଁ ରଣନୀତି ଆପଣଉଛି।