ଡେରାଡୁନ: ବିଏମ୍ଡବ୍ଲ୍ୟୁ କାର୍ ସହ ରେସ୍ କରିବା ମହଙ୍ଗା ପଡ଼ିଲା । ଟ୍ରକ୍ରେ ପିଟି ହେଲା ଇନୋଭା । ଦୁର୍ଘଟଣାରେ ଇନୋଭାଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ୬ ଜଣ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ଅଛନ୍ତି । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋରରୁ ଉତ୍ତରାଖଣ୍ଡର ଡେରାଡୁନରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ମୃତକଙ୍କ ବୟସ ୨୫ ବର୍ଷ ଭିତରେ ହେବ ଓ ସମସ୍ତେ ପାଠ ପଢ଼ୁଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରୁ ୫ ଜଣଙ୍କ ଘର ଡେରାଡୁନରେ ବୋଲି ଜଣାଯାଇଛି । ସମସ୍ତ ୭ ଯୁବକଯୁବତୀ ଗତ ରାତିରେ ଲଙ୍ଗ ଡ୍ରାଇଭରେ ବାହାରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।
ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଦୁର୍ଘଟଣା ଘଟିବା ପୂର୍ବରୁ ଇନୋଭା କାରଟି ପ୍ରାୟ ୧୨୦ କିମି ବେଗରେ ଗତି କରୁଥିବା ବେଳେ ଏକ BMW କାର୍ ସହ ରେସ୍ ଚଳାଇଥିଲା । ଏପରିକି ଇନୋଭା କାରଟି ଦୁର୍ଘଟଣା ସ୍ଥଳଠୁ ମାତ୍ର ୬ ଶହ ମିଟର ଦୂରରେ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିବାକୁ ମାତ୍ର ୧୩ ସେକେଣ୍ଡ ଲାଗିଥିଲା ।
ଏହାପରେ ଡ୍ରାଇଭର ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଗାଡ଼ିଟି ଏକ ଟ୍ରକ୍ରେ ପିଟି ହୋଇଥିଲା । ପଛରେ ଆସୁଥିବା BMW କାର୍ଟି ଦୁର୍ଘଟଣାସ୍ଥଳରେ ୨୫ ମିନିଟ୍ କାଳ ଅଟକି ଥିଲା । ଏଥିସହ BMW କାରରେ ଥିବା ଲୋକ ଗୁରୁତରଙ୍କୁ ହସ୍ପିଟାଲରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ । ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ BMW କାର୍ ଚାଳକଙ୍କୁ ପଚରାଉଚରା କରିଥିଲା । ମାତ୍ର ହସ୍ପିଟାଲରେ ଥିବା ନିଜ ପରିଚିତଙ୍କୁ ଦେଖା କରିବାକୁ ସେମାନେ ରାତି ଅଧରେ ଯାଉଥିବା ପୋଲିସ୍ ସମ୍ମୁଖରେ କହିଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁର୍ଘଟଣା ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।