ବଲାଙ୍ଗୀର: ପେଟର ଭୋକ ଆଗରେ ମରିଗଲା ମମତା । ଦାଦନ ଖଟିବାକୁ ଯିବା ପାଇଁ ନିଜ ଦୁଇ ମାସର ଶିଶୁକନ୍ୟାକୁ ସରକାରଙ୍କୁ ଦେଇଦେଲେ ଅଭାଗା ମାଆବାପା । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଗତକାଲି ସଂଧ୍ୟାରେ ଦମ୍ପତି ବଲାଙ୍ଗୀର ଶିଶୁମଙ୍ଗଳ ସମିତିକୁ ଶିଶୁକନ୍ୟାକୁ ଦେଇ ଦେଇଛନ୍ତି ।
କିଛି ଦିନ ତଳେ ସାନଗୁରଜୀଭଟା ଗାଁର ଦମ୍ପତି ନିଜର ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସ୍ପିଟାଲରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଶିଶୁ କନ୍ୟାର ବାପାକୁ ଅଟକ ରଖିବା ସହ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ନିଜ ମାଆକୁ ହସ୍ତାନ୍ତର କରିଥିଲା । ଏହାସହ ଶିଶୁକନ୍ୟାର ବାପାକୁ ପୋଲିସ ଛାଡ଼ି ଦେଇଥିଲା । ଏବେ ଏହି ଦମ୍ପତି ନିଜର ପେଟ ପାଟଣା ପାଇଁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାହାରିଛନ୍ତି । ଏଥିପାଇଁ ନିଜର ଶିଶୁକନ୍ୟାକୁ ସରକାରଙ୍କୁ ଟେକି ଦେଇଛନ୍ତି ।
ଶିଶୁର ମାଆ କହିଛନ୍ତି, ଆମ ଝିଅକୁ ସରକାରଙ୍କୁ ଦେଇ ଦେଲୁ । ଝିଅକୁ ଦେଇ ଦାଦନ ଖଟିବାକୁ ଆନ୍ଧ୍ର ଯିବୁ । ଆମେ ଆମ ଛୁଆକୁ ବିକ୍ରି କରି ନଥିଲୁ । ଆମ ଛୁଆ ଭଲରେ ରହିବ ବୋଲି ଅନ୍ୟକୁ ଦେଇ ଦେଇଥିଲୁ । ଆମେ ଗରୀବ ଲୋକ । ୬ମାସ ଦାଦନ ଖଟିବାକୁ ବାହାରକୁ ଯାଉ, ଆଉ ୬ ମାସ ଘରେ ରହିଥାଉ ।