ଭବାନୀପାଟଣା, ୧୬/୧୨
(ଜଗନ୍ନାଥ ନାଏକ) : କ୍ଷମତାର ଅପବ୍ୟବହାର ଓ ଶାସକୀୟ ଅପକୀର୍ତ୍ତିକୁ ଉନ୍ମୋଚନ କରି ଅନ୍ୟାୟ, ନିର୍ଯାତନା, ଅତ୍ୟାଚାର, ଶୋଷୀତବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦିଗରେ ସାମ୍ବାଦିକତା ପରମ ଧର୍ମ । ବୃହତ୍ତର ଜନ ଜୀବନର ଅନିବାର୍ଯ୍ୟ ; ଯାହା ସାମ୍ବାଦିକ ମହମ୍ମଦ ଅସଲମ କ୍ଷେତ୍ରରେ ଦେଖା ଦେଇଥିଲା । ତେଣୁ କଳାହାଣ୍ଡି ଜିଲ୍ଲା ବିଶେଷଭାବେ ଗଣମାଧ୍ୟମ ଜଗତରେ ସେ ଜୀବିତ ଅଛନ୍ତି। ତେବେ ସାମ୍ବାଦିକତା ପାଇଁ ଜନତାଙ୍କର ପୂର୍ଣ୍ଣ ସହଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ । ସ୍ବର୍ଗତ ମହମ୍ମଦ ଅସଲମଙ୍କ ତୃତୀୟ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥିମାନେ ଏହି ମତ ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲାର ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଭବାନୀପାଟଣା ଅମଲା ଭବାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାର, ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ପୁରୁଷୋତ୍ତମ ସିଂ ଠାକୁର, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ, ସମାଜସେବୀ ଭାରତ ଠାକୁର, ଶିକ୍ଷାବିତ ଡଃ. ଅଜୟ କୁମାର ମିଶ୍ର, ଡଃ. ଉମେଶ ଚନ୍ଦ୍ର ଶତପଥି, ପ୍ରମୁଖ ମଞ୍ଚାସିନ ଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ଦୟାନିଧି ଦାଶ, ବଡଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ, ସାମ୍ବାଦିକା ଅରୁନ୍ଧତୀ ମହାନ୍ତି ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସ୍ବର୍ଗତ ଅସଲମଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ପାରା ଆଥଲେଟ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ ଓ ସଫେଇ କର୍ମଚାରୀ ବସନ୍ତ ନାଏକଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧ୍ୱିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୃତୀୟ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ ହୋଇଥିବା ଇଂରାଜୀ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରି ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବନେତା ଅବିନାଶ ଠାକୁର ପରିଚାଳନା କରିଥିବା ବେଳେ ସନ୍ତୋଷ ସିଂହ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ମହମ୍ମଦ ଅସଲମଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ଅନେକ ସଂଗଠନର ସାମ୍ବାଦିକ ଓ ସାମ୍ବାଦିକାମାନେ ତଥା ଅନ୍ୟାନ୍ୟ ସଂଗଠନ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ବିଶିଷ୍ଟ ଭଜନ ଗାୟକ ଜଗନ୍ନାଥ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସ୍ୱର୍ଗତ ଅସଲମଙ୍କ ଆତ୍ମାର ସଦଗତି ଲାଗି ଧର୍ମଗୁରୁ ହାରପିନ ରେଜା ପ୍ରାର୍ଥନା କରିଥିଲେ ।
ଦିବଂଗତ ସାମ୍ବାଦିକ ମହମ୍ମଦ ଅସଲମଙ୍କ ତ୍ରୁତୀୟ ପୁଣ୍ୟ ତିଥି ପାଳିତ
