ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ୮ ମାସ ବିତିଲାଣି । ସମସ୍ତ କଜ୍ପାନଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେପି ରାଜ୍ୟରେ ସରକାର ଗଠନ କରିବା ସହ ଲୋକସଭାର ୨୧ରୁ ୨୦ ଆସନ ପୋଛି ନେଲା । ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ଅପ୍ରତିଦ୍ବନ୍ଦ୍ବୀ ଲୋକପ୍ରିୟ ନେତା ହୋଇ ମଧ୍ୟ ଦଳର ସ୍ଥିତି କାହିଁକି ଏମିତି ହେଲା ? ଏପରିକି ବିଜେଡି ହେଉ କି ବିରୋଧୀ ସମସ୍ତଙ୍କ ହୃଦୟରେ ଥିବା ନବୀନ ନିଜେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ପରାଜିତ ହେବା ବି ସମସ୍ତଙ୍କୁ ଚକିତ କରି ଦେଇଛି । ଆଉ ଦଳର ଏପରି ପରାଜୟକୁ ଏହି ୮ ମାସ ଭିତରେ ଏକାଧିକ ନେତା ଉଜାଗର କରିଛନ୍ତି । କିଏ ଓଭର କନଫିଡେଣ୍ଡ କହୁଛି ତ ଆଉ କିଏ ମ୍ୟାନେଜମେଣ୍ଟକୁ ଦାୟି କରୁଛି । ଏହାରି ଭିତରେ ପୂର୍ବତନ ସାଂସଦ ମହେଶ ସାହୁ ଟିକେଟ୍ ବଣ୍ଟନ ଦଳ ପରାଜୟର କାରଣ ବୋଲି କହିବା ଓ ଭୂପିନ୍ଦର ସିଂ ଏହାକୁ ପରୋକ୍ଷରେ ସମର୍ଥନ କରିବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ।
ଏମିତି ବି ଆଲୋଚନା ହେଉଛି ଯେ, ୮ ମାସ ହେବା ବିଜେଡିର ପାଉଁଶ ଗଦାରେ କୁହୁଳୁ ଥିବା ଧୂଆଁ ଏବେ ନିଆଁର ରୂପ ନେଇ ସାରିଛି । କାରଣ ଏହି ଦୁଇ ନେତାଙ୍କ ବୟାନ ବିଜେଡିର ଟପ୍ ଥ୍ରୀ ପାଓ୍ବାର ଫୁଲ୍ ନେତାଙ୍କ ଆଡକୁ ଇଙ୍ଗିତ କରୁଛି ।
ପ୍ରଥମରେ ବିଜେଡିର କଥାକଥିତ ସୁରପମ୍ୟାନ ଭି.କେ. ପାଣ୍ଡିଆନ ।
ଦ୍ବିତୀୟରେ ଯାହାର ବିନା ଇଙ୍ଗିତରେ ସଙ୍ଗଠନର ପତ୍ର ହଲୁ ନଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ।
ତୃତୀୟରେ ବିଜେଡିର ସର୍ବେସର୍ବା ତଥା ଦଳର ମୁଖିଆ ଅସହାୟ କୁହାଯାଉଥିବା ନବୀନ ପଟ୍ଟନାୟକ ।
କାରଣ ଏପରି ପରାଜୟକୁ ଦଳର ପୁରୁଖା ନେତା ୮ ମାସ ପରେ ବି ଗ୍ରହଣ କରିପାରୁନାହାନ୍ତି । ପୂର୍ବତନ ସାଂସଦ ମହେଶ ସାହୁ ଟିକେଟ ବଣ୍ଟନ ଭୁଲ୍ ନିଷ୍ପତ୍ତି ପାଇଁ ବିଜେଡି ହାରିଲା ବୋଲି କହିବା ପରେ ତାଙ୍କ କଥାକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି ଭୂପିନ୍ଦର ସିଂ ।
ଦଳର ପରାଜୟ ପଛରେ ଭୁଲ୍ ଟିକେଟ ବଣ୍ଟନ ବ୍ୟବସ୍ଥା ବୋଲି ଦାବି କରିଛନ୍ତି ପୂର୍ବତନ ସାଂସଦ ମହେଶ । ସମ୍ବଲପୁରକୁ ବବିଙ୍କୁ ପଠାଯିବାକୁ ସେ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ମତରେ ସମ୍ବଲପୁରରୁ ବବିଙ୍କୁ ଲୋକସଭା ପାଇଁ ଲଢ଼ାଇବା ନିଷ୍ପତ୍ତି ଭୁଲ୍ ଥିଲା । ସେ ଯାଜପୁରରୁ ଲଢିଥିଲେ ଅଧିକ ଲାଭ ହୋଇଥାନ୍ତା । ଏମିତି କି ଉପକୂଳରେ ୧୦ରୁ ୧୨ ସିଟ୍ ହାତେଇ ବିଜେଡି ସରକାର ଗଢ଼ଇ ପାରିଥାନ୍ତି ବୋଲି ମହେଶ କହିଛନ୍ତି ।
ଏପଟେ ତାଙ୍କ କଥାକୁ ପରୋକ୍ଷରେ ସ୍ୱୀକାର କରିଚନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି, ଭୁଲ୍ ସୁଧାରିବାର ସମୟ ଆସିଛି । ଗଣତନ୍ତ୍ରରେ ଲୋକଙ୍କ ପସନ୍ଦକୁ ଆଖି ଆଗରେ ନିଷ୍ପତ୍ତି ନେବା ଆବଶ୍ୟକତା । ଲୋକେ ଚାହୁଁଥିବା ନେତାଙ୍କୁ ଆଗାମୀ ଦିନରେ ପ୍ରାର୍ଥୀ କେମିତି କରାଯିବ ତା’ଉପରେ ଦଳ ଗୁରୁତ୍ବ ଦେବା ଉଚିତ ।
ତେବେ ବିଜେଡିର ଏହି ଦୁଇ ନେତାଙ୍କ ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି । ଏବେ ପ୍ରଶ୍ନ ଉଠୁଛି ବିଜେଡିରେ ଟିକେଟ ବାଣ୍ଟୁଥିଲା କିଏ ? କାହାକୁ ଟାର୍ଗେଟ କରୁଛନ୍ତି ନେତା ? କିଏ ନେଇଥିଲା ଭୁଲ ନିଷ୍ପତ୍ତି ? ନବୀନ ଟିକେଟ ବାଣ୍ଟି ଥିଲେ ନା ତାଙ୍କ ନାଁରେ ଆଉ କିଏ ନିଜ ଲୋକଙ୍କୁ ଖୁସି କରୁଥିଲେ ?
କୁହାଯାଉଛି ୨୪ ନିର୍ବାଚନ ପୂର୍ବରୁ ପ୍ରଶାସକରୁ ହଠାତ ବିଜେଡିର ସୁପର ମ୍ୟାନ୍ ନେତା ବନି ଯାଇଥିବା ଭି.କେ. ପାଣ୍ଡିଆନ ନବୀନଙ୍କୁ ଆଢୁଆଳରେ ରଖି ସବୁ ନିଷ୍ପତ୍ତି ନେଉଥିଲେ । ତେଣୁ ଭୁଲ ଟିକେଟ ବଣ୍ଟନ ବୟାନ ପାଣ୍ଡିଆନଙ୍କୁ ଟାର୍ଗେଟ ଥିଲା କି ? ରାଜନୈତିକ ସମୀକ୍ଷକଙ୍କ ମତରେ ଟିକେଟ ବଣ୍ଟନରେ ଓଭର କନ୍ଫିଡେଣ୍ଟ ବିଜେଡି ପରାଜୟର ଏକ ବଡ଼ କାରଣ ।
ପରାଜୟ ନେଇ ଅନେକ ନେତା ଦଳ ଭିତରେ ଏବଂ ବାହାରେ ମୁହଁ ଖୋଲୁଛନ୍ତି କିନ୍ତୁ ଏ ଯାଏଁ ପରାଜୟର ବିଧିବଦ୍ଧ ସମୀକ୍ଷା କରିପାରୁନାହାନ୍ତି ନବୀନ । କୁହାଯାଉଛି, ପରାଜୟର କାରଣ କୁହାଯାଉଥିବା ଗ୍ରୁପ୍ ଏବେ ବି ଦଳକୁ କବଜାରେ ରଖିଛନ୍ତି । ଆଉ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ପରାଜୟ ପୋଷ୍ଟମର୍ଟମ ଆଜି ପର୍ଯ୍ୟନ୍ତ କରାଯାଉନି । ଆଉ ଦଳର ବରିଷ୍ଠ ନେତାମାନେ ପରାଜୟକୁ ଗ୍ରହଣ ନକରିପାରି ମଝିରେ ମଝିରେ ଏମିତି ବାଣ ମାରୁଛନ୍ତି ।