Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁଲୁଣ୍ଡାର ପ୍ରଥମ ସରପଞ୍ଚ ଦୟାନିଧି ସୁନାଙ୍କ ପରଲୋକ

ତରଭ।: ତରଭା ବ୍ଲକ ତୁଲୁଣ୍ଡା ପଞ୍ଚାୟତର ପ୍ରଥମ ସରପଞ୍ଚ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ସୁନା (୭୩)ଆଉ ନାହାନ୍ତି।ଶୁକ୍ରବାର ବୁଦ୍ଧ ପୂର୍ଣ୍ଣିମା ପ୍ରାତଃ ୮.୩୦ରେ ତାଙ୍କର ତୁଲୁଣ୍ଡା ସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି।ଆଜି ସକାଳେ ପ୍ରାତଃ ଭ୍ରମଣ ସାରି ଘରକୁ ଆସିବାପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏହାର କିଛି ସମୟପରେ ତାଙ୍କର ପରଲୋକ ହୋଇଯାଇଥିଲା।ପରିବାର ଲୋକ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଧନଦେଇ,ପୁତ୍ର ଧନଞ୍ଜୟ, ସଞ୍ଜୀବ, ତିରୁପତି, ଝିଅ ଲିଲି, ଜ୍ୱାଇଁ କୁନାଙ୍କ ସମେତ ନାତି ନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ।ସ୍ବର୍ଗତ ସୁନା ଜଣେ ଆଦର୍ଶ,ଛାତ୍ରବତ୍ସଳ ଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କଲାପରେ କମସରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଅବସରର ଗ୍ରହଣ କରିଥିଲେ।ତୁଲୁଣ୍ଡା ଏକ ନୂତନ ପଞ୍ଚାୟତ ଭାବେ ଗଠିତ ହେବାପରେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ପ୍ରଥମ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇଥିଲେ।ତାଙ୍କର କାର୍ଯ୍ୟକାଳ ସମୟରେ ପଞ୍ଚାୟତର ବହୁବିଧ ଉନ୍ନତି ହୋଇଥିଲା।ତୁଲୁଣ୍ଡା ପଞ୍ଚାୟତ ଗଠନ,ହାଇସ୍କୁଲ ଗଠନ,ସାପ୍ତାହିକ ବଜାର ଆରମ୍ଭରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଚୁଡାଖାଇ ଡଙ୍ଗରକୁ ପର୍ଯ୍ୟଟନର ମାନ୍ୟତା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ମହୋତ୍ସବ କମିଟିର ସଦସ୍ୟ ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଉଥିଲେ।ଜଣେ ଉତ୍ତମ ସଂଗଠକ,ସମାଜ ସେବୀ, ଶିକ୍ଷାପ୍ରେମୀ ମେଳାପୀ ବ୍ୟକ୍ତିତ୍ୱର ଅଧିକାରୀ ଦୟାନିଧିଙ୍କ ଆକସ୍ମିକ ପରଲୋକ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବଡ଼ପୁଅ ଧନଞ୍ଜୟ ମୁଖାଗ୍ନି ପ୍ରଦାନ କରିଥିଲେ।ଦୟାନିଧିଙ୍କ ପରଲୋକରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର,ବରିଷ୍ଠ ସାମ୍ବାଦିକ ଅଶୋକ ସାହୁ,ରାଜକୁମାର ମାହାଣା,ଅନ୍ତର୍ଯ୍ୟାମୀ ସାହୁ,କପିଳାସ ସେଠ,କଲ୍ୟାଣ ନାଏକ,ପ୍ରଭୁଦତ୍ତ ପଣ୍ଡା,ତୁଲୁଣ୍ଡା ସରପଞ୍ଚ ଉମା ସାହୁ,ତରଭା ଏନଏସି ଉପାଧ୍ୟକ୍ଷ ଗଗନ ଅଗ୍ରୱାଲଙ୍କ ସମେତ ରମେଶ ସାହୁ, ଭବାନୀଶଙ୍କର ବଗର୍ତ୍ତି, ବରମେଶ ବାରିକ,ହେମନ୍ତ ମାଝୀ, ବୁଲୁ ସାହୁ, ପବିତ୍ର ମିଶ୍ର ସୁଦାମ ଦୀପ, ଜୟପ୍ରକାଶ ନାରାୟଣ ସାହୁ,ଆର୍ତ୍ତତ୍ରାଣ ବଗର୍ତ୍ତି,କୃପାନିଧି ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ