Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କିଟ୍‌ କାଣ୍ଡର ଭିତିରି କଥା: ଚାପି ଦେବାକୁ ହେଉଥିଲା ଉଦ୍ୟମ,ରାଜ୍ୟ ସରକାରଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନରେ ନେପାଳୀ ଶିକ୍ଷାର୍ଥୀ ମୁହଁରେ ଫୁଟିଲା ହସ

ଭୁବନେଶ୍ୱର:କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଓଡିଶା କାହିଁକି ଆନ୍ତର୍ଜାତୀୟ ସ୍ତରରେ ଓଡିଶା ସହିତ ଭାରତ ଭଳି ଦେଶ ମଧ୍ୟ୍ୟ ହରଡ଼ ଘଣାକୁ ଠେଲି ହୋଇଯାଇଛି । ଏହାକୁ ନେଇ ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନରେ ନେପାଳୀ ଶିକ୍ଷାର୍ଥୀଙ୍କ ମୁହଁରେ ହସ ଫୁଟିବା ସହିତ ଉଚ୍ଚ ଶିକ୍ଷାରେ ଏକ ବଡ଼ ପରିବର୍ତ୍ତନର ଆଶା କରାଯାଉଛି।
କିଟ୍‌ କର୍ତ୍ତୃପକ୍ଷଙ୍କ ଏଭଳି ବ୍ୟବହାରକୁ ନେପାଳ ସରକାର ଏବଂ ସେଠାକାର ଛାତ୍ର ସଂଘ କଡ଼ା ବିରୋଧ କରିଥିବା ବେଳେ ଏକ ଘରୋଇ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖିବାକୁ ଯେଉଁ ପ୍ରକ୍ରିୟା ରଖିଥିଲା ତାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଉଚିତ ଜବାବ ଦେଇ ଓଡିଶାର ମାନ ସମ୍ମାନ ପାଇଁ ବୃହତ ପଦକ୍ଷେପ ଗ୍ରହଣ କରିଛନ୍ତି। କିଟକୁ ସମସ୍ତ ନେପାଳି ଶିକ୍ଷାର୍ଥୀଙ୍କୁ ଫେରାଇ ଆଣିବାକୁ କେବଳ କହିନାହାନ୍ତି, ବରଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଓଡ଼ିଶାର ମାନ ସମ୍ମାନ ଦିଗରେ ଏକ ବୃହତ ପଦକ୍ଷେପ ନେଉଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ) ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବ ନେପାଳୀ ଛାତ୍ରୀ ତଥା ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌(୨୦)ଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ସହି ନ ପାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ପ୍ରକ୍ରିତି ଆତ୍ମହତ୍ୟା କରିଥିଲେ। ଆଦଭିକ୍‌ ସମ୍ପୃକ୍ତା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡିଛି। ଏହି ଘଟଣାକୁ ନେଇ ପ୍ରକ୍ରିତି ପୂର୍ବରୁ କିଟ୍‌ ଆଡ୍‌ମିନଷ୍ଟ୍ରେଟିଭଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ସେ ବାରମ୍ବାର ଆଦଭିକ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମଧ୍ୟ ଛାତ୍ରୀଙ୍କ ଏହି ଅଭିଯୋଗକୁ କିଟ କାହିଁକି ଗୁରୁତ୍ୱ ଦେଲାନାହିଁ? ଫଳରେ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ସହ ଭାରତକୁ ଏତେ ବଦନାମ ଦେବାର ବାଟ ଫିଟାଗଲା।କୌଣସି ଅଧିକାରୀ ଛାତ୍ରୀଙ୍କ କଥା କାହିଁକି ଶୁଣି ନ ଥିଲେ ଓ ଶେଷରେ ସେହି ଛାତ୍ରୀଙ୍କୁ ଅନୁଷ୍ଠାନରୁ ବ୍ୟାନ କରିଦେବା ଯାଏ କଥା ଯାଇଥିଲା। ଯାହାକି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆସି ସର୍ବତ୍ର ଚର୍ଚ୍ଚାର ବିଷୟ ସାଉଁଟିଛି। କୁହାଯାଏ ଫେବୃଆରୀ ୧୬ ତାରିଖ ତାଙ୍କ ବ୍ୟାନ୍‌ର ଶେଷ ତାରିଖ ଥିଲା। ଏହି ସମୟ ମଧ୍ୟରେ ଆଦଭିକ୍‌ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରି ଫେରାର ହେବାର ପ୍ଲାନରେ ଥିଲେ। ଠିକ୍‌ ସେହିଦିନ କିଛି ଉପାୟ ନପାଇ ନେପାଳୀ ଛାତ୍ରୀଜଣକ ଜୀବନ ହାରି ଦେଇଥିଲେ।
କିଟ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍‌ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍‌ ଜରିଆରେ ଓଢ଼ଣିରେ ଝୁଲି ଜୀବନ ହାରିଛନ୍ତି।
ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍‌ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍‌ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଶିକ୍ଷାର୍ଥୀ ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ। ଏହି ଘଟଣାରେ ପୁରୁଷବନ୍ଧୁ ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ)ର ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବଙ୍କ ବ୍ଲାକମେଲ୍‌ ସହି ନ ପାରି ପ୍ରକ୍ରିତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାନ୍ତ ସିଗ୍‌ଦେଲ୍‌ କହିଛନ୍ତି। ସିଗ୍‌ଦେଲଙ୍କ ଏତଲା ଆଧାରରେ ଇନ୍‌ଫୋସିଟି ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୦୮ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ.୫୪/୨୦୨୫) ରୁଜୁ କରିଛି। ସେପଟେ ଅଭିଯୁକ୍ତ ଆଦଭିକ୍‌ ରାଜ୍ୟ ବାହାରକୁ ଖସି ପଳାଇବାକୁ ଯୋଜନା ସମୟରେ ପୋଲିସ ଟିମ୍‌ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଦଭିକ୍‌ଙ୍କ ଘର ଉତ୍ତରପଦେଶର ଲକ୍ଷ୍ନୌରେ ହୋଇଥିବାବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ପାଖରୁ ମୋବାଇଲ ଓ ଲାପଟପ୍‌ ପୋଲିସ ଜବତ କରିଥିବାରୁ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବାର ସମୟ ଲାଗିବ ନାହିଁ ବୋଲି ଆଶା କରାଯାଉଛି।
ତେବେ ଏହି ଘଟଣାକୁ ନେଇ ନେପାଳୀ ଶିକ୍ଷାର୍ଥୀ ଓ କିଟ୍‌ କର୍ତ୍ତୃପକ୍ଷଙ୍କ ମୁହାଁମୁହିଁ ପରିସ୍ଥିତିର କେତେକ ଭିଡିଓ ମଧ୍ୟ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।ମୃତ ଛାତ୍ରୀଙ୍କୁ ଧମକ ସହ ହଷ୍ଟେଲରୁ ବଳପୂର୍ବକ ତଡୁଥିବା ଭାଇରଲ ଭିଡିଓ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେବା ସ୍ୱାଭାବିକ। ଏପରିକି ସୁରକ୍ଷାକର୍ମୀ ମାଡ଼ ମାରୁଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି। ସେପଟେ କ୍ୟାମ୍ପସ୍‌ରେ ଅଧିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡାଇବା ପାଇଁ ସବୁ ବର୍ଷର ନେପାଳୀ ଶିକ୍ଷାର୍ଥୀ ମାନଙ୍କୁ କ୍ଲାସ୍‌ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ କର୍ତ୍ତୃପକ୍ଷ ‘ସାଇନ୍‌ ଏ ଡାଏ’ ଘୋଷଣା କରିଥିବାରୁ ଓଡିଶା ସରକାରଙ୍କ ଆନ୍ତରାଳରେ ଏକ ବେସରକାରୀ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତିର କଡା ଜବାବ ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ନିଜ ଘରକୁ ଫେରିଯିବାକୁ କୁହାଯିବା ସହ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ସମସ୍ତ ଶିକ୍ଷାର୍ଥୀଙ୍କୁ ବିଶ୍ୱବିଦ୍ୟାଳୟକୁ ତୁରନ୍ତ ଫେରାଇ ଆଣିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।ଶୁଣାଯାଏ ଶତାଧିକ ନେପାଳୀ ଶିକ୍ଷାର୍ଥୀଙ୍କୁ ବସ୍‌ ଯୋଗେ ବଳପୂର୍ବକ କଟକ ରେଳ ଷ୍ଟେଶନରେ ଛାଡ଼ି ଦିଆଯାଇଥିଲା।ଏହାକୁ ନେଇ ନେପାଳୀ ଶିକ୍ଷାର୍ଥୀ ମନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଘରକୁ ଯିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯାଇ ତୁରନ୍ତ ଚାଲିଯିବାକୁ ତାଗିଦ କରାଯିବାରୁ ସେମାନଙ୍କ ମଧ୍ୟରେ ଭାଳେଣି ପଡିଥିଲା।
ପୋଲିସ ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍‌ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍‌ ଇଣ୍ଟରନ୍ୟାଶନାଲ ରିଲେଶନ୍‌ ଅଫିସ (ଆଇଆର୍‌ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋସ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍‌ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକ୍ରିତି ରାଜି ନ ହେବାରୁ ଆଦଭିକ୍‌ ତାଙ୍କୁ ପୁଣି ମାନସିକ ନିର୍ଯାତନା ଦେଇଥିଲେ।ତେବେ ପ୍ରଶ୍ନ ଉଠୁଛି ଜଣେ ଛାତ୍ରୀ ନାବାଳିକା ଥିବା ସମୟରେ ତାଙ୍କ ପ୍ରତି ଏଭଳି ଅସଦ ବ୍ୟବହାର ଦିଗରେ ପୋଲିସ ଓ କିଟ କର୍ତ୍ତ୍ତୃପକ୍ଷ କାହିଁକି ନୀରବ ନିଶ୍ଚଳ ହୋଇ ନିଜ ଦକ୍ଷତାକୁ ପ୍ରଦର୍ଶନ କରିପାରିଲେ ନାହିଁ?
ରବିବାର ସକାଳେ କୁଆଡେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପ୍ରକ୍ରିତି ଆତ୍ମହତ୍ୟା କରିଥିବା ନେଇ ସହପାଠୀମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଉଦ୍‌ବେଗ ପ୍ରକାଶ କରିବା ସହ ନେପାଳ ଦୂତାବାସ ଘଟଣାକୁ ନେଇ ଚିନ୍ତାପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ଏହା ଜଣାପଡିବା ପରେ କିଟ୍‌ ପକ୍ଷରୁ ନୋଟିସ୍‌ ଜାରି କରି ଶିକ୍ଷାର୍ଥୀମାନଙ୍କୁ ଫେରିଆସିବାକୁ ଅପିଲ୍‌ କରିଥିବା ନେଇ ଜଣା ପଡିଛି । ଯେଉଁମାନେ ଯାଇଛନ୍ତି କିମ୍ବା ଯିବାକୁ ବସିଛନ୍ତି, ସେମାନେ ବିଶ୍ୱବିଦ୍ୟାଳୟକୁ ଫେରି ଆସିବାକୁ କୁହାଯାଇଛି।ଏପରିକି କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସ୍‌ରେ କୁହାଯାଇଛି।ସେପଟେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ବର ସହିତ ନେଇ ଆନ୍ତର୍ଜାତୀୟ ସଂହତି ପାଇଁ ପୁନର୍ବାର ଯେଭଳି ଏଭଳି ଅଭାବନୀୟ ଘଟଣା ଆଉ ଦିନେ ନଘଟେ ସେ ଦିଗରେ କଡା ପଦକ୍ଷେପ ନେବାକୁ ଯାଉଥିବା ପୂର୍ବାନୁମାନ କରାଯାଉଛି।