ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ମୁଖ୍ୟମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ସକାଳ ୯ଟାରୁ ଆରମ୍ଭ ହୋ‌ଇଥିବା ପରୀକ୍ଷା ୧୧ଟା ୩୦ମିନିଟରେ ସରିବ । କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ୍ ମିଳିବ ଓ ଗଣିତ ପରୀକ୍ଷା ୧୧ଟା ୪୫ ମିନିଟରେ ସରିବ । ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଦେଉଛନ୍ତି ଛାତ୍ରଛାତ୍ରୀ ।

ଆଜି ପ୍ରଥମ ଦିନରେ ରାଜ୍ୟର ୫ଲକ୍ଷ ୧୨ହଜାର ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି । ସରକାର ବଦଳିବା ପରେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ହେଉଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଛି । କପି ରୋକିବା ପାଇଁ ସିସିଟିଭି ଲଗାଯାଇଛି । ପରୀକ୍ଷାରେ ଯେମିତି କୌଣସି ଅନିୟମିତତା ନହେବ ସେଥିପାଇଁ ଫ୍ଲାଇଙ୍ଗ ସ୍କାର୍ଡ, ସେଣ୍ଟ୍ରାଲ ଅବଜରଭର, ଜିଲ୍ଳା ସ୍ତର ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । 

ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲ୍‌ରେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ରାଜ୍ୟ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ଏବଂ ମଧ୍ୟମା ପରୀକ୍ଷା ଚଳିତବର୍ଷ ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ । ଛାତ୍ରଛାତ୍ରୀ ପରୀକ୍ଷାରେ କିଭଳି ଉତ୍ତମ ପ୍ରଦର୍ଶନ କରିବେ ସେଥିପ୍ରତି ଯତ୍ନବାନ ହେବା ଜରୁରୀ । ଶାନ୍ତିପୂର୍ଣ୍ଣ ତଥା ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ସହଯୋଗ କାମନା କରୁଛି । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି ।’