କିଟ୍ କେଳାଙ୍କାରୀ: ଉଚ୍ଚସ୍ତରୀୟ କିମିଟି ଆଗରେ ହାଜର ହେଲେ ୬ ଅଧିକାରୀ #KIITUNIVERSITY


ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରେ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କଲେଜର ୬ ଅଧିକାରୀ । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟ କ୍ରମେ ଜେରା କରାଯାଉଛି । କିଟ୍ ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି.କେ. ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ରଙ୍କ ସମେତ ୬ ଜଣ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି । ହାଜର ହେବା ପାଇଁ  ଗତ ୨୫ ତାରିଖରେ ଏମାନଙ୍କୁ ନୋଟିସ୍‌ କରାଯାଇଥିଲା । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀଙ୍କୁ କମିଟି ଗୁଡେଇ ତୁଡେଇ ପ୍ରଶ୍ନ ପଚାରିପାରେ । ବିଶେଷ କରି ମୃତ ଛାତ୍ରୀଙ୍କ ଅଭିଯୋଗକୁ ନେଇ ତାଙ୍କୁ ବିଭିନ୍ନ ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ । 

ଗତ ୨୧ ତାରିଖରେ ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ବାହାରକୁ ବାହାରିଥିଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । କିଟ୍ କାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଥିଲେ କିଟ୍ ଅଧିକାରୀ । ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍‌ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟ୍ରାର ହାଜର ହୋଇଥିଲେ । 

ସେହିପରି ସେଦିନ ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ । ତେବେ କିଟର ଏହି ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି । ଏ ସମସ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଛି ।

କିଟ ବିଶ୍ବବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା । ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା । ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ।

କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ କିଟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ । ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାସହ କଲେଜର କର୍ମଚାରୀ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକରେ ଛଡା ଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା ।