ଭୁବନେଶ୍ବର: ପିସିସି ସଭାପତି ହେବା ପରେ ଧଡ଼ାଧଡ ନିଷ୍ପତ୍ତି ନେବା ସହ ଦଳୀୟ ନେତା ଓ କର୍ମୀଙ୍କୁ ଶାଳୀନତା ଶିଖାଉଥିବା ଭକ୍ତ ଦାସ ଫସିଛନ୍ତି ବିବାଦରେ । ସବୁ ଶାଳୀନତାକୁ ଭୁଲି ଲିଙ୍ଗରାଜ ମନ୍ଦିର ପରିସର ବେଡ଼ାରେ ଫଟୋ ଉଠାଇ ବିବାଦରେ ଭକ୍ତ ।
ମିଳିଥିବା ସୂଚନା ଅନୁସାରେ ଗତକାଲି ଭକ୍ତ ଦାସ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ । ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ମନ୍ଦିର ବେଢ଼ାରେ କିଛି ସମର୍ଥକଙ୍କ ଗହଣରେ ଫଟୋ ଉଠାଇଥିଲେ । ଯାହା ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଭକ୍ତଙ୍କ ଶାଳୀନତା ଓ ମନ୍ଦିର ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛି ।
ମନ୍ଦିର ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବା ଅଭିଯୋଗ ହୋଇଛି । ମନ୍ଦିରରେ ଫଟୋ ଉଠାଇବା ସମୟରେ ପୋଲିସ କି ମନ୍ଦିର କର୍ମଚାରୀ କେହି ବାରଣ କରୁ ନାହାନ୍ତି । ଅତୀତରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା । ଏବେ ପୁଣି ଲିଙ୍ଗରାଜଙ୍କ ବେଢ଼ାରେ ଫଠୋ ଉଠାଇଛନ୍ତି ପିସିସି ସଭାପତି ।