ଅସ୍ତରଙ୍ଗ,, ରାମେଶ୍ବର ଠାରୁ ଦୀଘା ପର୍ଯ୍ୟନ୍ତ ୩୪୬ କିଲୋମିଟର ପ୍ରସ୍ତାବିତ ଉପକୂଳ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉପକୂଳ ଅଞ୍ଚଳରେ ଜମି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବରୁ ପ୍ରଥମ ନକ୍ସା ଓ ଦ୍ବିତୀୟ ନକ୍ସାରେ ଉପକୂଳ ଅଞ୍ଚଳ ସମୁଦ୍ର ପତନ ଠାରୁ ୧୦ କିମି ଦୂରରେ ଯିବା ପାଇଁ ସ୍ଥିର ହୋଇଥିଲା। କୋଭିଡ୍ ପରବର୍ତ୍ତୀ ସମୟରେ ନକ୍ସା ପରିବର୍ତ୍ତନ କରାଯାଇ ତୃତୀୟ ନକ୍ସା ଯୋଜନାରେ ଚଞ୍ଚକତା କରି ଅସ୍ତରଙ୍ଗ ସମୁଦ୍ରକୂଳ ଠାରୁ ୩୦ କିମି ଦୂର ନାଉଗାଁ ବ୍ଲକ ଦେଇ ଯିବା ପାଇଁ ସ୍ଥିର ହୋଇଥିଲା। ଏହି ନିଷ୍ପତ୍ତିକୁ ବିରୋଧ କରି ବାଲିକୁଦା — ଅସ୍ତରଙ୍ଗ ମିଳିତ ଉପକୂଳ କ୍ରିୟାନୁଷ୍ଠାନ ସଙ୍ଗଠନ ପକ୍ଷରୁ ସରକାରଙ୍କ ଏହି ପ୍ରକଳ୍ପକୁ ପୁନର୍ବାର ବିଚାର କରିବା ସହ ଉପକୂଳ ରାଜପଥ ନିର୍ମାଣ ହେବାର ମୂଳ ଲକ୍ଷ୍ୟ ସାଧନ ପାଇଁ ନିବେଦନ କରାଯାଇଥିଲା। ବିଧାୟକ, ମନ୍ତ୍ରୀ, ଜିଲ୍ଲାପାଳ, ସାଂସଦ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । ଏପରିକି ପୂର୍ବ ସରକାର ବେଳେ ବିଧାନସଭା କାର୍ଯ୍ୟକାଳ ଚାଲିଥିବା ସମୟରେ ଅନୁଷ୍ଠାନର ହଜାର ହଜାର ସଦସ୍ୟ ରାଜଧାନୀ ଉପରେ ଦିନରାତି ଆନ୍ଦୋଳନ କରିଥିଲେ। ଏହାପରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ବାସ୍ତବ ସମସ୍ୟା ସମ୍ପର୍କରେ ବୁଝାଇଥିଲେ। ଫଳରେ ସରକାରଙ୍କ ଦ୍ଵାରା ତୃତୀୟ ନକ୍ସାରେ ସଂଶୋଧନ କରାଯାଇ ସମୁଦ୍ରକୂଳ ଠାରୁ ୫ରୁ୧୦ କି.ମି ଦୂରରେ ରାଜପଥ ନିର୍ମାଣ ପାଇଁ ସ୍ଥିର ହୋଇଥିଲା।ଏହି କ୍ରମରେ ରାଜପଥ ପ୍ରାଧିକରଣ ପକ୍ଷରୁ ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ନଈଗୁଆଁ ମେଘାପାଟ ଗହିର ଠାରୁ ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ଆଳସାହି, ଅଠତିରା,ଅସରଫିପୁର ,ବାରିପଦା,ବେଗୁନିଆବସ୍ତ ,ଦକ୍ଷିଣମୂଳ, ଜିଓଳ ,ଜିଉନ୍ତି,କଣ୍ଟାପଡ଼ା, କେନ୍ଦ୍ରାପାଟି,କୁଣ୍ଢେଶ୍ୱର, ମୁଦୁଗଲ, ପିତାପଡ଼ା, ରିଭର ବ୍ଲକ ଓ ଆଳଙ୍ଗପୁର ପ୍ରଭୃତି ୧୫ଟି ରାଜସ୍ବ ଗାଁର ଚିହ୍ନଟ ଜମିରେ ପ୍ରତି ୧୦୦ ମିଟର ଦୂରରେ ୧୫୦ ଫୁଟ୍ ପ୍ରଶସ୍ତରେ ୪ଲେନ୍ ରାସ୍ତା ପାଇଁ ଖୁମ୍ବ ପୋତାଯାଇଛି।ଏଥିସହ ବାଲିକୁଦା ତହସିଲର ୧୦, କାକଟପୁର ତହସିଲର ୧୪ ଏବଂ ଏରସମା ତହସିଲର ୧୬ ଟି ଗାଁ ଦେଇ ଏହି ରାଜପଥ ନିର୍ମାଣ ହେବା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଏଥିପାଇଁ ସେତୁ ନିର୍ମାଣ ନିମନ୍ତେ ହଳଦିଆ ଖୁମ୍ବ ଲଗାଯାଇ ମାର୍ଗ ପ୍ରସ୍ତୁତ କରାଯାଇଛି।ବର୍ଷା ଦିନରେ ଡ୍ରୋନ୍ ସର୍ଭେ ହୋଇ ଜାଗା ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପ୍ରତି ୧୦୦ ମିଟର୍ ଦୂରରେ ଖୁମ୍ବ ପୋତାଯାଇ ଜମି ଚିହ୍ନଟ ପକ୍ରିୟା ଆରମ୍ଭ କରାଯାଇଥିବାରୁ ଉପକୂଳ ଅଞ୍ଚଳରେ ଉପକୂଳ ରାଜପଥ ନିର୍ମାଣ ହେବାର ଆଶା ଦୃଢ଼ିଭୂତ ହୋଇଛି। ୩୪୬ କିଲୋମିଟର ଉପକୂଳ ରାଜପଥ ପ୍ରକଳ୍ପକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ୧୭୬ କିଲୋମିଟର ରାମେଶ୍ବର-ରତନପୁର ଏବଂ ୧୭୦ କିଲୋମିଟର ରତନପୁରରୁ-ଦିଘା ପର୍ଯ୍ୟନ୍ତ ଏହା ୫ଟି ପ୍ୟାକେଜରେ ନିର୍ମାଣ କରିବାକୁ ପ୍ରସ୍ତାବ ଅଛି। ଏହି ରାଜପଥ ନିର୍ମାଣ ହେଲେ ଉପକୂଳ ଅଞ୍ଚଳ ଏକ ବିକଶିତ ଅଞ୍ଚଳ ଭାବେ ଗଢ଼ି ଉଠିବ ବୋଲି ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ପଣ୍ଡିତ କାଳନ୍ଦୀ ଛାଟୋଇ କହିଛନ୍ତି।
ଉପକୂଳ ରାଜପଥ ପାଇଁ ଜମି ଚିହ୍ନଟ,ରାଜପଥ ନିର୍ମାଣ ପାଇଁ ଚିହ୍ନଟ ଜମିରେ ପୋତାଗଲା ଖମ୍ବ ।
