ବିଜେଡି ଗୋଷ୍ଠୀ କନ୍ଦଳ: ଧର୍ମପଦ ଉପାଖ୍ୟାନ ଶୁଣାଇ ଅଶୋକ ପଣ୍ଡା କାହାକୁ କରୁଛନ୍ତି ଟାର୍ଗେଟ୍ ?


ଭୁବନେଶ୍ବର: ଅତ୍ୟଧିକ ଅତ୍ମବିଶ୍ବାସ, ଅହଂକାର, ଗୋଡ଼ ଟଣା ନୀତି । ନିଜକୁ ଶ୍ରେଷ୍ଠ ମଣି ନବୀନଙ୍କୁ ଗୌଣ କରିଦେବା ବିଜେଡି ନେତାଙ୍କ ନୀତି ଓ ଆଦର୍ଶ ପାଲଟି ଯାଇଛି କି ? ୨୪ ବର୍ଷ ଅପ୍ରତିଦ୍ବନ୍ଦ୍ବି ଓଡ଼ିଶାକୁ ଶାସନ କରିଥିବା ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ଚୌକିରେ ବସାଇବା ପରେ ବି ବିଜେଡି ନେତାଙ୍କ ଅହଂ ଭଙ୍ଗ ହେଉନାହିଁ କାହିଁକି ? ବିଜେଡିକୁ ଧୂଳିସାତ କରିବା ପରେ ବି ଦଳର ଦ୍ବିତୀୟ ପୀଢ଼ିର ନେତାଙ୍କୁ ବରିଷ୍ଠ ନେତା କାହିଁକି ବାଟ ଛାଡୁନାହାନ୍ତି ? ଏମିତି ବହୁତ ପ୍ରଶ୍ନ ଉଠୁଥିବା ବେଳେ ରଙ୍ଗର ପର୍ବ ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ନିଜ ଦଳର କଥାକଥିତ ହେବିଓ୍ବେଟ ନେତାଙ୍କୁ ଟାର୍ଗେଟ କରିଛନ୍ତି । ୧୨ ଶହ ବଢ଼େଇରେ ଦାୟ ନା ପୁଅରେ ଦାୟ ବୋଲି ପଚାରି, ଆଗ ଧାଡ଼ିର ନେତାଙ୍କୁ ଦୂରେଇ ଯିବାକୁ ଖୋଲାଖୋଲି ପରାମର୍ଶ ଦେଇଛନ୍ତି । ଆଉ ନବୀନଙ୍କୁ ଫ୍ରି ହ୍ୟାଣ୍ଡ ଦେଲେ ହିଁ ଦଳ ପୁଣି ଶସକ୍ତ ହେବ ବୋଲି କହିଛନ୍ତି । ତେବେ ଅଶୋକଙ୍କ ମତରେ ବିଜେଡିରେ ଧର୍ମପଦ କିଏ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯୁବ ନେତାଙ୍କୁ ବାଟ ଛାଡୁ ନଥିବା ଏକାଧିକ ଧର୍ମପଦ ନା ନିର୍ବାଚନ ସମୟରେ ଏକା ଏକା ଦଳର ମଙ୍ଗ ଧରିଥିବା ସେହି ଧର୍ମପଦ ବାବୁଙ୍କୁ ଅଶୋକ ଇଙ୍ଗିତ କରୁଛନ୍ତି ତାହା ଏବେ ଚର୍ଚ୍ଚାରେ ।

ହୋଲିରେ ବିଜେଡିର ତଥାକଥିତ ଆଗଧାଡ଼ିର ନେତାଙ୍କୁ ଅଶୋକ ଟାର୍ଗେଟ୍ କରିଛନ୍ତି । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବା ପରେ ନିଜର ଅସନ୍ତୋଷ ଝାଡିଛନ୍ତି ଅଶୋକ । ଆଉ ଶୁଣାଇଛନ୍ତି ଧର୍ମପଦ ଉପାଖ୍ୟାନ । କହିଛନ୍ତି, ଯଦି କିଛି ଅସନ୍ତୁଷ୍ଟ ଅଛନ୍ତି, ତେବେ ଆମେ ଦାୟିତ୍ୱରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା । ଆମେ ଟିକେ ଦୂରେଇ ଯାଇ, ସେମାନେ କକ୍ଷଣ କରୁଛନ୍ତି ଦେଖିବା । ଆମେ ଯଦି ନବୀନଙ୍କୁଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଦୂରେଇ ଯିବାକୁ ପଡ଼ିବ । ଆମ ଭିତରେ ମତାନ୍ତର ଅଛି, ମନାନ୍ତର ବି ଅଛି । ତାକୁ ଭୁଲି ଏକାଠି ଆଗକୁ ଯିବାକୁ ହେବ । ସେପଟେ ବିଜେଡିର ଆଗଧାଡ଼ିର ନେତା ସଞ୍ଜୟ ଦାସ ବର୍ମା ଅଶୋକଙ୍କ ମନ୍ତବ୍ରରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଅଶୋକଙ୍କ ବ୍ୟକ୍ତିଗତ ମତ ।

ଅଶୋକ ପଣ୍ଡାଙ୍କ ଖୋଲାଖୋଲି ଏଭଳି ଟାର୍ଗେଟ୍ ପରେ ପୁଣି ଥରେ ପଦାରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ । ତେବେ ଅଶୋକ ପଣ୍ଡା କାହା ଉଦ୍ଦେଶ୍ୟରେ ଏଭଳି ବୟାନ ରଖିଛନ୍ତି ? କିଏ ସେ ଧର୍ମପଦ ? ପାଣ୍ଡିଆନ,ବବି, ଦେବୀ, ସଞ୍ଜୟ, ଅତନୁଙ୍କୁ ଟାର୍ଗେଟ କରିନାହାନ୍ତି ତ ଅଶୋକ ? କିଛି ଦିନ ତଳେ ବରିଷ୍ଠ ନେତାମାନେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ମେଳି କରିଥିଲେ । ତା’ପୂର୍ବରୁ ଦ୍ବିତୀୟ ପିଢିର ଯୁବ ନେତା ତଥା ପୂର୍ବତନ ବିଧାୟକମାନେ ବି ଦଳର ନେତୃତ୍ୱକୁ ନେଇ ମେଳି କରିଥିଲେ । ଯେଉଁଥିରୁ ସ୍ପଷ୍ଟ ଯେ ଦଳ ଭିତରେ ଆଗ ଧାଡ଼ିର ନେତାଙ୍କୁ ନେଇ କେତେ ବିରୋଧ ହେଉଛି । ଏବେ ଦେଖିବାର କଥା ଦଳରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନବୀନ କି ପଦକ୍ଷେପ ନେଉଛନ୍ତି ।