ଝାରସୁଗୁଡ଼ା: ପୁଣି ଖୋଲିଛି ନବ ଦାସ ହତ୍ୟା ମାମଲାର ଫାଇଲ । ଗତକାଲି କ୍ରାଇମବ୍ରାଞ୍ଚର ୨ଟି ଟିମ୍ ନବଙ୍କ ଝାରସୁଗୁଡ଼ାସ୍ଥିତ ଘରକୁ ଯାଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରି ଫେରିଥିବା ବେଳେ ଆଜି ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ଼ କରିଛି ।
ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା । ତେବେ ନବଙ୍କ କେତେ ବେଳେ ଏୟାରଲିଫ୍ଟ କରାଯାଇଥିଲା ? ଏୟାରଲିଫ୍ଟ ବେଳେ କିଏ କିଏ ଥିଲେ ? ସେହି ସମୟର ସିସିଟିଭି ଅଛି କି ନାହିଁ ? ନବଙ୍କ ସହ ଏୟାରଲିଫ୍ଟ ବେଳେ ପରିବାର ସଦସ୍ୟ କିଏ କିଏ ଥିଲେ ? ତାଙ୍କ ସହ କେଉଁ ଡାକ୍ତର ଆସିଥିଲେ ? ସେହି ସମୟରେ କେଉଁ ପ୍ରକାର ମେଡିକାଲ ଫାସିଲିଟି ଦିଆଯାଇଥିଲା ? ତାହାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି । ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଥିବା ଜଣାଯାଇଛି । ଗତକାଲି କ୍ରାଇମବ୍ରାଞ୍ଚର ୨ଟିମ୍ ନବଙ୍କ ଘରେ ପହଞ୍ଚି ନବ ଦାସଙ୍କ ପତ୍ନୀ ମିନତୀ ଦାସ ଓ ଝିଅ ଦୀପାଳି, ପୁଅ ବିଶାଲଙ୍କ ବୟାନ ରେକର୍ଡ କରିଥିଲେ । ଏପରିକି ସେମାନଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ନବଙ୍କୁ ଗୁଳି ବାଜିଲା ପରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଥିଲା । ନୂଆ ତଦନ୍ତ ଅଧିକାରୀ ବିଜୟ ମଲ୍ଲିକ ଓ କ୍ରାଇମବ୍ରାଞ୍ଚର ଜଣେ ମହିଳା ଅଧିକାରୀ ତଦନ୍ତ ପାଇଁ ଯାଇଥିଲେ ।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୂରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।