Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗୀନ ମାଛ ଚାଷ କରି ସ୍ୱାବଲମ୍ବୀ

ଖଡ଼ିଆଳ : ସରକାର ମିଶନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଏହି କ୍ରମରେ ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ଏସଏଚଜି ମହିଳା ମାନେ ଏବେ ରଙ୍ଗୀନ ମାଛ ଚାଷ ଆରମ୍ଭ କରି ଆର୍ଥିକ ସଶକ୍ତିକରଣ ହେବାକୁ ଆଶା ରଖିଛନ୍ତି। ଜୟ ମାଆ ଲକ୍ଷ୍ମୀ ଏସଏଚଜି, ଧନଲକ୍ଷ୍ମୀ ଏସଏଚଜି ଓ ଶ୍ରୀଗୁଣ୍ଡିଚା ଏସଏଚଜିର ତିରିଶି ଜଣ ମହିଳା ମିଶନ ଶକ୍ତି ଓଡିଶାରୁ ସହାୟତା ପାଇ ଏହି ଚାଷ ଆରମ୍ଭ କରିଛନ୍ତି। ଏହି ରଙ୍ଗୀନ ମାଛଚାଷ କରିବା ପାଇଁ ବିଭାଗୀୟ ଅଧିକାରି ମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଆଗ୍ରହୀ ହୋଇଥିଲେ | ସେମାନଙ୍କୁ ପ୍ରଥମେ ଖଡ଼ିଆଳରେ ତାଲିମ ପ୍ରଦାନ ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା।ଏହାଦେଖି ସେମାନେ ଆଗ୍ରହୀ ହେବାରୁ ଓଡିଶା ଜୀବିକା ମିଶନ ତରଫରୁ ତିନିଲକ୍ଷ ଟଙ୍କା ସହଯୋଗ କରାଯାଇଥିବା ବେଳେ ସେମାନେ ପଚାଶ ହଜାର ଟଙ୍କା ମିଶାଇ ସାଢ଼େ ତିନିଲକ୍ଷ ଟଙ୍କାରେ ଏହି ଚାଷ ଆରମ୍ଭ କରିଛନ୍ତି। ଏଥିରେ ରେଡକେପ କଲର ଟେରା, ଟାଇଗର ବାର୍କ, ରୋଜି ମାର୍କ, ମିକ୍ସ ମେଲି, ଟାଇଗର ସାର୍କ, ଏଲିଭିନା, ଟାଭିରି ସାର୍କ, କଲର ସ୍କେଲ ଭଳି ୮ ଜାତୀୟ ମାଛ ଚାଷ କରାଯାଇଛି | ଏହି ୮ ଜାତୀୟ ରଙ୍ଗୀନ ମାଛକୁ ଆଠ ଗୋଟି ପାଣି ଟାଙ୍କିରେ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରାଯାଇଛି ଓ ଦୁଇଟି ବଡ଼ ମାଷ୍ଟର ଟାଙ୍କି କରାଯାଇଛି ଯେଉଁଠି ମାଛ ମାନେ ଅଣ୍ଡା ଦେଇ ଛୁଆ କଲା ପରେ ବଡ଼ ମାଛ ସବୁ ଏହି ଦୁଇ ଟାଙ୍କିରେ ରହିବେ। ପ୍ରତି ଆଠ ଦିନରେ ପାଣି ବଦଳ କରାଯାଉଅଛି। ୨୪ ଘଣ୍ଟା ଅକ୍ସିଜେନ ଦେବାର ବ୍ୟବସ୍ଥା କରାଯାଇଛି, ଏଥିପାଇଁ ଇନଭେଟର ମଧ୍ୟ ଲଗାଯାଇଛି। ସୂର୍ଯ୍ୟ କିରଣ କିବା ବର୍ଷା ଜଳ ସିଧାସଳଖ ନ ପଡିବା ପାଇଁ ଛାଉଣୀ କରାଯାଇଛି ।ଦୁଇ ପ୍ରକାର ଖାଦ୍ୟ ସକାଳେ ଓ ସନ୍ଧ୍ୟାରେ ଦିଆ ଯାଉଥିବା ବେଳେ ସମ୍ବଲପୁରରୁ ଖାଦ୍ୟ ପୁଡ଼ିଆ ମଗା ଯାଉଥିବା ଜଣାପଡିଛି। ମାଛ ସହିତ ରଙ୍ଗୀନ ଶାମୁକା ଚାଷ ମଧ୍ୟ କରାଯାଇଛି। ଏସଏଚଜି ସଦସ୍ୟା ମାନେ ପାଳି କରି ସବୁକାର୍ଯ୍ୟ କରୁଛନ୍ତି | ଏହି ରଙ୍ଗୀନ ମାଛ ନୂଆପଡା ଜିଲ୍ଲାରେ ତୁକୁଲା ଗ୍ରାମରେ ପ୍ରଥମ ଥର କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ