ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ୧୦ ନୁହେଁ, ବିନା ଗ୍ୟାରେଣ୍ଟିରେ ଏଣିକି ମିଳିବ ୨୦ ଲକ୍ଷ


ଓଡ଼ିଶା ଡଟ୍ ନ୍ୟୁଜ: ବେପାର ଯୁବପୀଢ଼ିଙ୍କ ପାଇଁ ମୋଦି ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା । ଏହି ଯୋଜନାକୁ ୧୦ ବର୍ଷ ହୋଇଗଲାଣି । ହଜାର ହଜାର ବେକାର ଯୁବକ, ଯୁବତୀଙ୍କୁ ରୋଜଗାରର ବାଟ ଦେଖାଇଛି ଏହି ଯୋଜନା । ଏବେ ଏହି ଯୋଜନାକୁ ନେଇ ଆସିଛି ଖୁସି ଖବର । ପୂର୍ବରୁ ବିନା କୌଣସି ଗ୍ୟାରେଣ୍ଟିରେ କେନ୍ଦ୍ର ସରକାର ବେକାର ଯୁବପୀଢ଼ିଙ୍କୁ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେଉଥିଲେ । ହେଲେ ଏବେ ୧୦ ନୁହେଁ, ୨୦ ଲକ୍ଷ ଟଙ୍କାର ଋଣ ମିଳିବ । ତେବେ ଏହା କେବଳ ତରୁଣ ହିତାଧିକାରୀଙ୍କୁ ମିଳିବ । ଅନ୍ୟମାନଙ୍କୁ ପୂର୍ବପରି ୧୦ ଲକ୍ଷ ଟଙ୍କାର ଋଣ ମିଳିବ । ଏବେ ଆସନ୍ତୁ ଜାଣିବା ଏହି ତରୁଣ କାଟାଗୋରୀ କ’ଣ ଓ ଯୋଜନାରୁ ଆପଣ କେମିତି ଲାଭ ଉଠାଇ ପାରିବେ ।

ଗତ ୨୦୧୫ ଏପ୍ରିଲ ୮ ତାରିଖରେ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ମୋଦୀ ସରକାର । ପ୍ରଥମେ ୧୦ ଲକ୍ଷ ଟଙ୍କା ଲୋନ୍‌ ଦେବାକୁ ଘୋଷଣା କରିଥିଲେ । ଏହି ଯୋଜନାକୁ ଏବେ ୧୦ ବର୍ଷ ବିତି ଯାଇଛି । ଏଣୁ ମୁଦ୍ରା ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି ମୋଦୀ ସରକାର । ଏଥର ଏହି ଯୋଜନାରେ ଏକ ତରୁଣ କାଟାଗୋରୀ ରଖାଯାଇଛି ।ଯେଉଁମାନେ ପୂର୍ବରୁ ଲୋନ୍‌ ନେଇ ଠିକ ସମୟରେ ଫେରସ୍ତ କରିଛନ୍ତି ସେମାନଙ୍କୁ ତରୁଣ କାଟାଗୋରୀରେ ରଖିଛନ୍ତି ସରକାର । ଅର୍ଥାତ ସେମାନଙ୍କୁ ଏଥର ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ମିଳି ପାରିବ । ତେବେ ଯେଉଁମାନେ ନୂଆ ଓ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେବେ କେନ୍ଦ୍ର ସରକାର ।

ମୁଦ୍ରା ଯୋଜନାରେ ଗ୍ରାମାଞ୍ଚଳ ବ୍ୟାଙ୍କ୍‌, ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ୍‌, ମାଇକ୍ରୋ ଫାଇନାନ୍ସ ଇନ୍‌ଷ୍ଟିଚ୍ୟୁସନ୍ ଓ ନନ୍‌ ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ ପକ୍ଷରୁ ଲୋନ ଯୋଗାଇ ଦିଆଯାଉଛି । ଆବେଦନ କରିବାକୁ ଆବେଦନକାରୀମାନେ  www.udyamimitra.in ଭିଜିଟ୍ କରି ପାରିବେ । 

ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଅଥଚ ସେମାନଙ୍କ ପାଖରେ ଅର୍ଥର ଅଭାବ ରହୁଛି ସେମାନେ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ଏଥିପାଇଁ ଆବେଦନକାରୀଙ୍କ ବୟସ ୧୮ରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯେଉଁମାନେ କୌଣସି ଋଣ ନେଇ ଠିକ ସମୟରେ ପୈଠ କରିଥିବେ ସେମାନଙ୍କୁ ମୁଦ୍ରା ଯୋଜନାରେ ପ୍ରାଥମିକତା ଦିଆଯିବ । ଅପରାଧୀକ ପୃଷ୍ଠଭୂମି ଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଆବେଦନ ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି ପରିଚୟ ପତ୍ର ଓ ବ୍ୟବସାୟ ବାବଦରେ ପ୍ରମାଣ ପତ୍ରର ଆବଶ୍ୟକତା ରହିବ ।