ସଲମାନଙ୍କୁ ପୁଣି ହତ୍ୟା ଧମକ; ଘରେ ପଶି ମାରିବାକୁ ଚେତାବନୀ


ଓଡ଼ିଶା ଡଟ୍ ନ୍ୟୁଜ୍: ବଲିଉଡ଼ ଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଦିଆଯାଇଛି ଧମକ । ଘରେ ପଶି ହତ୍ୟା କରିବାକୁ ଦିଆଯାଇଛି ଚେତାବନୀ । ମୁମ୍ବାଇର ବର୍ଲି ପୋଲିସ୍ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଆସିଛି ଏଭଳି ଧମକପୂର୍ଣ୍ଣ ମେସେଜ୍ ।

ମେସେଜରେ ସଲମାନଙ୍କ ଘରେ ପଶି ମାରିବାକୁ ଧମକ ମିଳିଛି । ଏତିକି ନୁହଁ ସଲମାନ୍ ଖାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇବା ପାଇଁ ମଧ୍ୟ ଧମକ ଦିଆଯାଇଛି । ଖାଲି ମେସେଜ୍ ନୁହେଁ ଫୋନ୍ କରି ମଧ୍ୟ ଦିଆଯାଇଛି ଧମକ । ଏହି ଘଟଣାରେ ପୋଲିସ୍ ଷ୍ଟେସନକୁ ଫୋନ୍ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ବଲିଉଡ୍ ସିନେମା ‘ହମ୍ ସାଥ୍ ସାଥ୍ ହେଁ’ର ସୁଟିଂ ସମୟରେ ରାଜସ୍ଥାନରେ ୨ଟି କୃଷ୍ଣସାର ମୃଗ ଶିକାର ଘଟଣାରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଏମିତି ଛନ୍ଦି ହେଲେ ଯେ ଏଯାଏଁ ସେଥିରୁ ମୁକୁଳି ପାରୁନାହାନ୍ତି ।

ଘଟଣା ୧୯୯୮ ମସିହାରୁ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ମାସରେ ଯୋଧପୁରରେ ଫିଲ୍ମର ସୁଟିଂ ସମୟରେ କୋଙ୍କାଣୀ ଗାଁ ସୀମାରେ ବନ୍ଧୁକ ଫୁଟିବାର ଶବ୍ଦ ଶୁଭିଥିଲା । ଭୟରେ ଗାଁ ଲୋକ ଉଠି ବାଡ଼ି ଧରି ଉକ୍ତ ସ୍ଥାନକୁ ଦୌଡ଼ିଥିଲେ । ସେମାନେ ଦେଖିଲେ ଗୋଟିଏ ଜିପରେ କିଛି ଯୁବକ, ଯୁବତୀ ବସିଛନ୍ତି ଆଉ ତାଙ୍କ ପାଖରେ ୨ଟି କୃଷ୍ଣସାର ମୃଗ ମରି ପଡ଼ିଛନ୍ତି । ଗାଁ ଲୋକଙ୍କ ରାଗ ନାକ ଉପରେ ଏମିତି ଚଢିଲା ଯେ ଉକ୍ତ ସ୍ଥାନରୁ ଜିପ୍ ଧରି ଫେରାର୍ ହେଲେ ଯୁବକଯୁବତୀ ।

ଏହି ଘଟଣାରେ ୧୯୯୮ ଅକ୍ଟୋବର ୧୨ ତାରିଖରେ ପ୍ରଥମଥର ସଲମାନଙ୍କୁ ଗିରଫ କରାଯାଇଥିଲା । ସୈଫ୍ ଅଲ୍ଲୀ ଖାନ୍, ନିଲମ୍, ସୋନାଲୀ ବେନ୍ଦ୍ରେ, ତବୁ ଏବଂ ଦୁଃଷ୍ୟନ୍ତ ସିଂଙ୍କୁ କୋର୍ଟ ତରଫରୁ ସବୁଜ ସଂକେତ ମିଳିଥିଲେ ହେଁ ସଲମାନ୍ ଖାନ୍ ଜେଲର କଳା କୋଠରୀ ଦେଖି ସାରିଲେଣି । ଏହି ମାମଲାରେ ସଲମାନଙ୍କୁ ଅନେକ ଥର ଜୀବନରେ ମାରିଦେବାକୁ ମଧ୍ୟ ଧମକ ମିଳିଲାଣି ।