ଓଡ଼ିଶା ଡଟ୍ ନ୍ୟୁଜ୍: ୨୬/୨୨ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାକୁ ଡରାଉଛି ଫାଶୀ ଭୟ । ରାତିରେ ହେଉନି ନିଦ । ଅଜମଲ କସବ ଭଳି ଫାଶୀ ପାଇାବ ଭୟରେ ତିହାର ଜେଲରେ ଦିନ ଗଣୁଛି । NIA ହେପାଜତରେ ଥିବା ତହବୁର ଅଧିକାରୀଙ୍କୁ ତାଙ୍କ ବିରୋଧରେ କେଉଁ ଧାରା ଲାଗୁ କରାଯାଇଛି ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା କ’ଣ ହେବ ପଚାରୁଥିବା ସୂଚନା ମିଳୁଛି । ସୂତ୍ର ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦୁଇ ସରକାରୀ ଓକିଲ ରାଣାକୁ ଭେଟିଛନ୍ତି । ଯେଉଁଥିରେ ତାଙ୍କୁ ସମସ୍ତ ଅଭିଯୋଗ ବିଷୟରେ ଅବଗତ କରାଯାଇଛି । ରାଣା ପ୍ରତ୍ୟେକ ଅଭିଯୋଗ ଓ ଆଇନଗତ ଧାରା ବିଷୟରେ ବିସ୍ତୃତ ଭାବରେ ପଚାରି ବୁଝୁଛି । ସେ ଜାଣିବାକୁ ଚାହୁଁଛି ଯେ ବିଚାର କେବେ ଆରମ୍ଭ ହେବ ଓ ଏହା କେତେ ଦିନ ଚାଲିବ ।
ଗତକାଲି, ଦିଲ୍ଲୀର ଏକ କୋର୍ଟ ତାଙ୍କ ଆଦେଶରେ କହିଥିଲେ ଯେ, ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣା ଦିଲ୍ଲୀରେ ଏକ ବଡ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା ବନାଉଥିଲା । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଷଡ଼ଯନ୍ତ୍ର ଭାରତର ସୀମା ବାହାରୁ କାର୍ଯ୍ୟ କରିଥାନ୍ତା ।
ସେପଟେ ପ୍ରାଥମିକ ପଚରାଉଚରା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତହବୁର ରାଣାଠାରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପାଇପାରି ନାହାଁନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ପଚରାଉଚରା ସମୟରେ ଅଧିକାରୀମାନେ ରାଣାଠାରୁ ତାର ପରିବାର, ବନ୍ଧୁ ଏବଂ ସମ୍ପର୍କ ବିଷୟରେ ଜାଣିବାକୁ ଚାହିଁଥିଲେ କିନ୍ତୁ ସେ କୌଣସି ସୂଚନା ଦେଇନାହିଁ । ରାଣା ଜାଣିଶୁଣି ସହଯୋଗ କରୁ ନଥିବା ଏଜେନ୍ସି କହିଛି ।
କ’ଣ ରହିଛି ଅଭିଯୋଗ ?୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ, ୧୦ ଜଣ ଆତଙ୍କବାଦୀ ତାଜ ହୋଟେଲ, ଓବରୟ ଟ୍ରାଇଡେଣ୍ଟ, ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ନରିମାନ ହାଉସ୍ ଭଳି ଅନେକ ସ୍ଥାନକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ତହବୁର ରାଣା ଉପରେ ଲସ୍କର-ଏ-ତୈବା ସହିତ ସହଯୋଗରେ ଆକ୍ରମଣ ଯୋଜନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାର ଅଭିଯୋଗ ଅଛି ।