ଦିନକ ପରେ ଉଦଘାଟନ ହେବ ବିଶ୍ବର ସର୍ବୋଚ୍ଚ ରେଳଓ୍ବେ ବ୍ରିଜ୍ ‘ଚେନାବ’


ଓଡ଼ିଶା ଡଟ୍ ନ୍ୟୁଜ: ଦିନକ ପରେ ସାରା ବିଶ୍ବ ଦେଖିବ ଭାରତର ସୁପର ଟେକ୍ନୋଲଜି । ୧୯ ତାରିଖରେ ଜମ୍ମୁ ଓ କାଶ୍ମୀରରେ ଉଦଘାଟିତ ହେବ ବିଶ୍ବର ସର୍ବୋଚ୍ଚ ବ୍ରିଜ୍ ‘ଚେନାବ ବ୍ରିଜ୍’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଏହାର ଉଦଘାଟନ୍ । ସୂଚନାଯୋଗ୍ୟ, ଆଇଫେଲ୍ ଟାଓ୍ବାରଠାରୁ ବି ଉଚ୍ଚାରେ ରହିଛି ଚେନାବ ବ୍ରିଜ୍ ।

୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି । ଏଥିପାଇଁ ୧୪୮୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି ।

ବ୍ରିଜ୍ ଘଣ୍ଟା ପ୍ରତି ୨୬୦ କିମି ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ । ତୁଷାରପାତ ସମୟରେ କାଶ୍ମୀର ଉପତ୍ୟକା ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଯାଉଥିଲା । ୨୦୦୩ରେ ଭାରତ ସରକାର କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସବୁ ପାଗ ଭିତ୍ତିରେ ସଂଯୋଗ କରିବା ପାଇଁ ଚେନାବ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ବ୍ରିଜ୍ କାମ ୨୦୦୯ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ବର୍ତ୍ତମାନ ପ୍ରାୟ ୨ ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି । ଏହି ବ୍ରିଜ୍ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଏବଂ ରିକ୍ଟର ସ୍କେଲରେ ୮ ମ୍ୟାଗ୍ନିଚ୍ୟୁଡ୍ ପର୍ଯ୍ୟନ୍ତ ଭୂକମ୍ପକୁ ସହ୍ୟ କରିପାରିବ ।