ଓଡ଼ିଶା ଡଟ୍ ନ୍ୟୁଜ୍: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ଏହି ଅବସରରେ ସେ ଓଡ଼ିଶାରେ ୪ ହଜାର ୧୭୩ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ । ଏଥିମଧ୍ୟରୁ ୧୭ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ୨ଟିର ଲୋକାର୍ପଣ ହେବ ।
୮୪୧ କୋଟି ଟଙ୍କାରେ ୪୪ କିମି ବିଶିଷ୍ଟ ୨ଟି ଜାତୀୟ ରାଜପଥର ଉଦଘାଟନ କରିବେ ଗଡକରୀ । ସେହିପରି ୧୪୪ କୋଟି ବ୍ୟୟରେ ଟିଟିଲାଗଡ ଏନଏଚ୍-୫୯ରେ ବାଇପାସ୍ ରୋଡ, ୧୭୨ କୋଟି ବ୍ୟୟରେ ଧର୍ମଗଡଠାରେ ଏନଏଚ-୧୩୦ରେ ବାଇପାସ, ୪୨୬ କୋଟି ବ୍ୟୟରେ ୪ଟି ହାଇଲେବୁଲ୍ ବ୍ରିଜର ଭିତ୍ତି ସ୍ଥାପନ କରିବେ । ୨୭୩ କୋଟି ବ୍ୟୟରେ ବରଗଡ-ଝାରସୁଗୁଡା ରାସ୍ତାରେ ମହାନଦୀ ଉପରେ ହେବ ହାଇଲେବୁଲ୍ ବ୍ରିଜ ।
ପ୍ରକଳ୍ପ ଶିଳାନ୍ୟାସ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି ହୋଇଛି । ତେଣୁ ଗଡ଼କରୀ ମୋଟା ଅଙ୍କର ଅନୁଦାନ ଘୋଷଣା କରିପାରନ୍ତି ବୋଲି କହାଯାଉଛି । ଦିନିକିଆ ଗସ୍ତରେ ଆସୁଥିବା ବଡ଼କରୀ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମହତାବ ଜୟନ୍ତୀରେ ଯୋଗଦେବେ । ପରେ ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ଓଡ଼ିଶାବାସୀଙ୍କୁ ଭେଟି ଦେବେ ।