ଆହୁରି ଦୁଇଦିନ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ


ଓଡ଼ିଶା ଡଟ୍ ନ୍ୟୁଜ: କିଛିଦିନ ହେବ ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଆହୁରି ଦୁଇଦିନ ଏମିତି ରହିବ ପାଣିପାଗ । ଆଜି ଭୋର୍‌ରୁ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । ଟ୍ୱିନସିଟିରେ ମେଘୁଆ ପାଗ ରହିଛି । ଆଜି ବି ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବା ନେଇ ସତର୍କତା ଜାରି ହୋଇଛି । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି ।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀର ବିଶେଷ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । 

ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବବା ସହ ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।