ରାଜ୍ୟରେ ଖୁବଶୀଘ୍ର ବଡ଼ ନିଯକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ସେ ନେଇ ତଥ୍ୟ ମାଗିଛି ସାଧାରଣ ପ୍ରଶାସନ ବିଭାଗ । ଯଦି ସବୁ ଠିକଠାକ୍ ଚାଲେ ତାହାହେଲେ ପ୍ରାୟ ଲକ୍ଷେ ପଦ ନିଯୁକ୍ତି ପାଇଁ ବାଟ ଫିଟିବ ।
ରାଜ୍ୟର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟାଭିଡିଛନ୍ତି ସରକାର ।
ଖୁବଶୀଘ୍ର ବସିବ ସଚିବସ୍ତରୀୟ ବୈଠକ । ତା ପୂର୍ବରୁ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ପଦବୀର ତାଲିକା ଦେବାକୁ ସବୁ ବିଭାଗକୁ କହିଛି ସାଧାରଣ ପ୍ରଶାସନ ବିଭାଗ । କେଉଁ ବିଭାଗରେ କେତେ ପଦବୀ ଖାଲି ପଡିଛି, କେତେ ପୂରଣ ହୋଇଛି, ତାହାକୁ ନିଯୁକ୍ତି ପୋର୍ଟାଲରେ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଭିଜନ-୨୦୩୬ କଥା କହୁଥିବା ସରକାର ନିଯକ୍ତିକୁ ଗୁରୁତ୍ୱ ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ୪୧ଟି ବିଭାଗରେ ମଞ୍ଜୁରୀପ୍ରାପ୍ତ ପଦ ହେଉଛି ୩ ଲକ୍ଷ ୮୭ହଜାର ୭୦୬ । ଖାଲିପଡ଼ିଛି ୯୬ ହଜାର ୮୫୪ ପଦ । ୨୬ହଜାର ୫୮୨ ପଦ ପୂରଣ ପାଇଁ ମଞ୍ଜୁରୀ ମିଳିଛି । ବିଶେଷକରି ସ୍ୱାସ୍ଥ୍ୟ, ଗୃହ, ସ୍କୁଲ ଓ ଗଣଶିକ୍ଷା, କୃଷି ଓ ପଶୁସମ୍ପଦ ବିଭାଗ ଭଳି ପ୍ରମୁଖ ବିଭାଗରେ ଅନେକ ପଦ ଖାଲି ପଡ଼ିଛି । ବଡ଼ ବଡ଼ ବିଭାଗରେ କାମ କରିବାକୁ ଅଫିସର ଓ କର୍ମଚାରୀ ନାହାନ୍ତି, ଯାହା ବେଶ ଚିନ୍ତାଜନକ ।
ବିଭାଗରେ ପଦବୀ ଖାଲି ପଡ଼ିଛି
ପଞ୍ଚାୟତିରାଜ- ୨୫୨୯
ସ୍କୁଲ ଓ ଗଣଶିକ୍ଷା- ୨୧୬୦୮
ଜଳସମ୍ପଦ- ୨୬୮୨
ସ୍ୱାସ୍ଥ୍ୟ- ୧୧୩୯୬
ଗୃହ- ୧୪୧୯୨
ଉଚ୍ଚଶିକ୍ଷା- ୬୧୩୬
ପଶୁସମ୍ପଦ- ୪୨୦୫
କୃଷି- ୩୯୬୪
ରାଜସ୍ୱ- ୫୩୩୯
ସେପଟେ ପଞ୍ଚାୟତରାଜମନ୍ତ୍ରୀ ରବିନାୟକ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଯେଉଁ ଯେଉଁ ବିଭାଗରେ ପଦ ଖାଲିପଡ଼ିଛି, ସେଠାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ସଂପୃକ୍ତ ବିଭାଗ ସହ ଆଲୋଚନା କରି ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢାଇବେ ।
ରାଜ୍ୟରେ ଖୁବଶୀଘ୍ର ବାହାରିବ ନୂଆନିଯୁକ୍ତି—ପ୍ରକ୍ରିୟା ଆରମ୍ଭ କଲେ ସରକାର, ସବୁ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ-ପଖାପାଖି ଲକ୍ଷେ ନିଯୁକ୍ତି ପାଇଁ କସରତ– ସ୍ବାସ୍ଥ୍ୟ, ଗୃହ,ସ୍କୁଲ ଓ ଗଣଶିକ୍ଷା, କୃଷି ଭଳି ପ୍ରମୁଖ ବିଭାଗରେ ଖାଲପଡିଛି ହଜାର ହଜାର ପଦବୀ