Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କୁ ଘରୁ ଟାଣି ଆଣି ଖଣ୍ଡାରେ ହାଣି ହତ୍ୟା

ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗିବାଡି ଗାଁରେ ରବିବାର ରାତିରେ ଜଣେ ଯୁବକକୁ ଘରୁ ଟାଣି ଆଣି ଘର‌ ସମ୍ମୁଖରେ ଖଣ୍ଡାରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ଦିଲୀପ କୁମାର ପାତ୍ର(୪୬)।

ଘଟଣା ନେଇ ମୃତ ଦିଲୀପଙ୍କ ଭାଇ ହରିଶ ଚନ୍ଦ୍ର ପାତ୍ର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରିଛି। ଖବର ପାଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଏସ ଶ୍ରବଣ ବିବେକଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାରେ ସମ୍ପୃକ୍ତ ରହିଥିବା ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଥିବା ଡିଏସପି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭରବ୍ରିଜ ଉପରେ ଦିଲିପ ଓ ସିଙ୍ଗିବାଡିର ଅନ୍ୟ ଜଣେ ବ୍ୟକ୍ତି ପିତବାସ ଗୌଡ଼ଙ୍କ ମୋଟରସାଇକେଲ ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ପିତବାସ ମୋଟରସାଇକେଲର କ୍ଷତି ଘଟିଥିଲା। ଯାହାକୁ ନେଇ ପିତବାସଙ୍କ ପକ୍ଷରୁ ମୋଟରସାଇକେଲ ମରାମତି ବାବଦରେ କ୍ଷତିପୂରଣ ଦେବାକୁ ଦିଲିପକୁ କୁହାଯାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣା ଦିନ ଦିଲିପ ପକ୍ଷରୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା , କିନ୍ତୁ ପରବର୍ତ୍ତୀ ସମୟରେ ଦିଲିପ କ୍ଷତିପୂରଣ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ଯାହାକୁ ନେଇ ରବିବାର ରାତିରେ ଝଗଡ଼ା ହେବା ସହ ଦିଲିପକୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଘଟଣା ନେଇ ପୁଲିସ ଅଧିକ ଖୋଳତାଡ କରୁଥିବା ସହ ହତ୍ୟାକାଣ୍ଡରେ ଜଣେ ନା ଅନ୍ୟ କେହି ସାମିଲ ରହିଛନ୍ତି ସେ ନେଇ ଅଧିକ ତଦନ୍ତ କରାଯାଉଥିବା ଡିଏସପି ସ୍ବାଇଁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ