ଅଧ ରାତି ପର୍ଯ୍ୟନ୍ତ ବୈଠକ : ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ବଢିଲା ଚର୍ଚ୍ଚା


ବାଲେଶ୍ୱର ପୀଡିତାଙ୍କୁ ନେଇ ଉଠୁଛି ପଡୁଛି ରାଜ୍ୟ । ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାକୁ ନେଇ ବିରୋଧୀଙ୍କ ହଲ୍ଲାବୋଲ ଚାଲିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଳମ୍ୱିତ ରାତି ଯାଏ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ ।

ବିଜେପି ରାଜ୍ୟ ସଭାପତି ଓ କିଛି ବିଜେପି ବିଧାୟକ ମଧ୍ୟ ଆଲୋଚନାରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ଜଣାପଡିନାହିଁ । ତେବେ ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା ଚାଲିଥିବାରୁ ସେ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି ।

ମଙ୍ଗଳବାର ବି ବିଜେପି କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ରାତି ପ୍ରାୟ ୧୧ଟାରେ ବିଜେପି ଅଫିସ୍‌ରେ ଚାଲିଥିବା ବୈଠକ ଶେଷ ହୋଇଥିଲା । ଏହାପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ବାଲେଶ୍ୱର ଘଟଣାରେ ରାଜ୍ୟ ସରକାର କଠୋରରୁ କଠୋର ପଦକ୍ଷେପ ଆରମ୍ଭରୁ ନେଇଥିଲେ । ଯେଉଁଥି ପାଇଁ ପ୍ରମୁଖ ଦୁଇ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି, ଘଟଣାରେ ଯେଉଁମାନେ ସମ୍ପୃକ୍ତ ସମସ୍ତେ ଦଣ୍ଡିତ ହେବେ । ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବାଲେଶ୍ୱର ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଆଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଘଟଣା ଯେମିତି ଭବିଷ୍ୟତରେ ରାଜ୍ୟର କୌଣସି କଲେଜରେ ନଘଟେ ସେନେଇ ସରକାର ଚେଷ୍ଟିତ ଅଛନ୍ତି । ହେଲେ ଗତକାଲିର ବୈଠକରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.