୩ ଦିନ ହେଲାଣି ସରଗରମ ରାଜ୍ୟ ରାଜନୀତି । କାରଣ ବିରୋଧୀ ସରକାରଙ୍କ ବିରୋଧରେ ବଡ଼ ଜୋରସୋରରେ ଗର୍ଜନତର୍ଜନ କରୁଛନ୍ତି । ଖାଲି ଗର୍ଜୁଛନ୍ତି ତାହା ନୁହେଁ ବରଂ ସରକାରକୁ ଭାଙ୍ଗିବାକୁ ବଳ କଷୁଛନ୍ତି । ହେଲେ ଏ ବଳରେ କେତେ ଦମ୍ ଅଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାରଣ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପାଖରେ ୫୧ ବିଧାୟକ ଥିବା ବେଳେ କଂଗ୍ରେସ ପାଖରେ ଅଛନ୍ତି ମାତ୍ର ୧୪ ।
ଦୁହେଁ ଯଦି ମିଶିବେ ତେବେ ୬୫ ହେଉଛି । ତେବେ ଏତିକି ବିଧାୟକରେ ସରକାର କେମିତି ଗଠନ ହେବ ତାହାକୁ ନେଇ ବି ଚର୍ଚ୍ଚା ହେଉଛି ।
ଆଗାମୀ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ରାଜ୍ୟରେ ବଢିଥିବା ଆଇନଶୃଙ୍ଖଳା ପରିସ୍ଥିତି, ବାଲେଶ୍ବର ଛାତ୍ରୀ ଆତ୍ମାହୁତି, ବଳଙ୍ଗା, ଯାଜପୁର, ମାଲକାନଗିରି, ରଥଯାତ୍ର ବିଭ୍ରାଟ, ମୋଦକ ଚୋରି ଆଦି ମାଳମାଳ ପ୍ରସଙ୍ଗ ରହିଛି ବିରୋଧୀଙ୍କ ପାଖରେ । ହେଲେ ହଠାତ୍ କାହିଁକି ଭକ୍ତ ଅନାସ୍ଥା ପ୍ରସ୍ତାବ କଥା ଉଠାଇଲେ ତାହା ଚର୍ଚ୍ଚାର ବିଷୟ ହୋଇଛି । ପ୍ରକୃତରେ ରାଜନୈତିକ ଗଣିତକୁ ତର୍ଜମା କଲେ ସ୍ପଷ୍ଟ ଭାବରେ ଜଣାପଡୁଛି କି, ଅନାସ୍ଥା ଆସିଲେ ବି ସରକାରଙ୍କ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଏହାପରେ ବି କାହିଁକି ଅନସ୍ଥା କଥା ଉଠିଲା ଏବଂ ଏଥିରେ ସୂତ୍ରଧର କିଏ ତାହା କିନ୍ତୁ ସ୍ପଷ୍ଟ ହୋଇନି ।
ବିଜେଡି-ବିଜେପିର ମିଳିତ ସରକାର ଓଡ଼ିଶାରେ ରହିଥିଲା । ଏମିତିକି ରାଜ୍ୟରେ ମେଣ୍ଟ ଭାଙ୍ଗିବା ପରେ କେନ୍ଦ୍ରର ଅନେକ ବିଲ୍ରେ ବିଜେଡି ସମର୍ଥନ ଦେଉଥିଲା । ହେଲେ ଏବେ କଂଗ୍ରେସ ସହ ମିଶି ସରକାରଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନି । ହେଲେ ବି ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ମୁଖ୍ୟ ବିରୋଧୀ ଦଳ ବିଜେଡି । ବିରୋଧୀ ଦଳ ହିସାବରେ ଯାହା କାମ କରିବାର କଥା ଆମେ କରୁଛୁ । ମୋଟ୍ ଉପରେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ଏଯାଏଁ ବିଜ୍ଞପ୍ତି ଜାରି ହୋଇନି । ତେଣୁ ଏବେଠୁ କାହିଁକି ଅନାସ୍ଥା କଥା ଆଲୋଚନା ହେଉଛି ତାହାକୁ ନେଇ ଚର୍ଚ୍ଚା ହେଉଛି ।