Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ।

ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁ ଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଟି ସାର୍ଟ, ପ୍ୟାଣ୍ଟ, ଜୋତା, ଟୋପି ଏବଂ ପରିଚୟ ପତ୍ର ମାଗଣାରେ ଯୋଗାଇ ଦିଆଯିବ।

ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷାର ସଂସ୍ଥା ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଜଣେ ଛାତ୍ରୀଛାତ୍ରଙ୍କ ପିଛା ମୋଟ ୫୦୦ ଟଙ୍କା ଖର୍ଚ୍ଚ ହେବ । ଜଣେ ଛାତ୍ରୀଛାତ୍ରଙ୍କ ପିଛା ୨୦୦ଟଙ୍କାରେ ହଳେ ଜୋତା ଓ ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କାରେ ଗୋଟିଏ ଟ୍ରାକ ପ୍ୟାଣ୍ଟ, ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦ ଟଙ୍କାରେ ଗୋଟିଏ ପରିଚୟ ପତ୍ର ବଣ୍ଟନ କରାଯିବ । ସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ସମସ୍ତ ଛାତ୍ରୀ ତଥା ଅନୁସୂଚିତ ଜାତି ଓ ଜନଜାତି ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସମସ୍ତ ଛାତ୍ରମାନଙ୍କ କ୍ଷେତ୍ରରେ ମୋଟ ୫୦୦ଟଙ୍କା ମଧ୍ୟରୁ ୧୦୦ ଟଙ୍କା ସମଗ୍ର ଶିକ୍ଷା ଯୋଜନାରୁ ଭରଣା କରାଯାଉଥିବା ବେଳେ ବଳକା ୪୦୦ ଟଙ୍କା ରାଜ୍ୟ ସରକାରଙ୍କର ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଭରଣା କରାଯିବ । ଛାତ୍ରଛାତ୍ରୀମାନଙ୍କୁ ଏକ ହଳ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ରଙ୍ଗର ମୋଜା ବଣ୍ଟନ କରାଯିବ ।
ସେହିପରି ୧୦୦ ଜଣରୁ କମ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟରେ ଦୁଇଗୋଟି ହାଉସ ଗଠନ କରାଯିବ। ଚାରୋଟି ରଙ୍ଗର ଟି-ସାର୍ଟ ମଧ୍ୟରୁ ଯେ କୌଣସି ଦୁଇଟି ରଙ୍ଗର ଟି-ସାର୍ଟ ଚୟନ କରାଯାଇ ବଣ୍ଟନ କରାଯିବ। ୧୦୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟରେ ଚାରିଗୋଟି ହାଉସ ଗଠନ କରାଯିବ। ଚାରୋଟି ରଙ୍ଗର ଟି-ସାର୍ଟ ଚୟନ କରାଯାଇ ବଣ୍ଟନ କରାଯିବ । ଛାତ୍ରୀଛାତ୍ରଙ୍କୁ ଗୋଟିଏ ଲେଖାଏଁ ଟି-ସାର୍ଟ ସହିତ ଗୋଟିଏ ଲେଖାଏଁ ଟ୍ରାକ ପ୍ୟାଣ୍ଟ ଏବଂ ଗୋଟିଏ ଟୋପି ଲୋଗୋ ସହିତ ବଣ୍ଟନ କରାଯିବ । ଛାତ୍ରୀଛାତ୍ରଙ୍କୁ ଗୋଟିଏ ପରିଚୟ ପତ୍ର ମଧ୍ୟ ବଣ୍ଟନ କରାଯିବ।ଶିକ୍ଷାବିତ, ବିିଶିଷ୍ଟ ବ୍ୟକ୍ତି ଏବଂ ସମାଜସେବୀଙ୍କ ଉପସ୍ଥିତିରେ ଜୋତା ଆଦି ଉପକରଣ ବଣ୍ଟନ କରାଯିବା ସହିତ ଏ ସମ୍ପର୍କିତ ଫଟୋ ଉତ୍ତୋଳନ କରାଯାଇ ସଂପୂର୍ଣ୍ଣ ବିବରଣୀ ରଖାଯିବ ।