Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CISFର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଆରମ୍ଭ

ନୂଆଦିଲ୍ଲୀ: CISF ଏହାର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଆରମ୍ଭ କରିବା ନେଇ ରବିବାର ଦିନ ଘୋଷଣା କରିଛି।ବର୍ତ୍ତମାନ୍ ଏହି ମହିଳା କମାଣ୍ଡୋମାନଙ୍କୁ ମଧ୍ୟପ୍ରଦେଶର ବାରୱାହାରେ ଅବସ୍ଥିତ ଆଞ୍ଚଳିକ ତାଲିମ କେନ୍ଦ୍ରରେ ଆଠ ସପ୍ତାହ ଧରି (RTC)ରେ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯିବ।ଏମାନଙ୍କୁ ଉଚ୍ଚ ସୁରକ୍ଷା ପ୍ରତିଷ୍ଠାନ ଏବଂ ପ୍ଲାଣ୍ଟଗୁଡ଼ିକରେ ନିୟୋଜିତ କ୍ୱିକ୍ ରିଆକ୍ସନ୍ ଟିମ୍ (QRT) ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସ (STF)ର ଦାୟିତ୍ୱ ପାଇଁ ପ୍ରସ୍ତୁତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।

ଏହି ତାଲିମ ମଧ୍ୟରେ ସ୍ୱାସ୍ଥ୍ୟ ସୁସ୍ଥତା ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ତାଲିମ, ଚାପପୂର୍ଣ୍ଣ ପରିସ୍ଥିତିରେ ଲାଇଭ୍-ଫାୟାର ଡ୍ରିଲ୍, ଦୌଡ଼, ରାପେଲିଂ ଭଳି ସହନଶୀଳତା-ବର୍ଦ୍ଧିତ ତାଲିମ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ଜଙ୍ଗଲରେ ବଞ୍ଚିବାର କଳା, ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ଏବଂ ଦଳଗତ କାର୍ଯ୍ୟ ତାଲିମ ଦେବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଏଥିସହିତ ଏଥିରେ ୪୮ ଘଣ୍ଟାର ଆତ୍ମବିଶ୍ୱାସ ବୃଦ୍ଧିକାରୀ ବ୍ୟାୟାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଦେଶର ବିଭିନ୍ନ ବିମାନବନ୍ଦରରେ ବର୍ତ୍ତମାନ ନିୟୋଜିତ ଥିବା ପ୍ରଥମ ବ୍ୟାଚ୍ ମହିଳାମାନେ ଅଗଷ୍ଟ ୧୧ରୁ ତାଲିମ ନେଉଥିବା ଅଧିକାରୀମାନେ କହିଛନ୍ତି ଏବଂ ଏହି ତାଲିମ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ପରେ ଏହାର ଦ୍ୱିତୀୟ ବ୍ୟାଚ୍ ଅକ୍ଟୋବର ୬ରୁ ନଭେମ୍ବର ୨୯ ପର୍ଯ୍ୟନ୍ତ ହେବା ନେଇ ରିପୋର୍ଟରୁ ଜଣାପଡ଼ିଛି।ତେବେ ଏହି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମରେ ପ୍ରଥମେ ଅତି କମରେ ୧୦୦ ଜଣ ମହିଳା କର୍ମଚାରୀଙ୍କୁ ସାମିଲ କରାଯିବ। ଏମାନେ ସାଧାରଣତଃ ବିମାନ ସୁରକ୍ଷା ଗୋଷ୍ଠୀ (ASG) ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ CISF ୟୁନିଟ୍ ରୁ ରହିବେ। ତେବେ ତାଲିମ ସମାପ୍ତ ହେବା ପରେ ଏହି ମହିଳା କର୍ମଚାରୀମାନଙ୍କୁ ପ୍ରଥମେ ବିମାନବନ୍ଦରରେ ନିୟୋଜିତ କରାଯିବ ଏବଂ ପରେ ଅନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ମଧ୍ୟ ଦାୟିତ୍ୱ ଦିଆଯିବ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ୧୦% ମହିଳା ପ୍ରତିନିଧିତ୍ୱ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF) ଏହି ପଦକ୍ଷେପ ନେଇଛି। ବର୍ତ୍ତମାନ, CISFରେ ମହିଳାଙ୍କ ସଂଖ୍ୟା ୧୨,୪୯୧ ଯାହା ବାହିନୀର ମୋଟ ଶକ୍ତିର ପ୍ରାୟ ୮%। ୨୦୨୬ ସୁଦ୍ଧା ଆହୁରି ୨୪୦୦ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ ସୂତ୍ରରୁ ଜଣାପଡ଼ିଛି। ତେବେ ବର୍ଷ ଆରମ୍ଭରେ ହିଁ ଗୃହ ମନ୍ତ୍ରଣାଳୟ CISFର ପ୍ରଥମ ମହିଳା ବାଟାଲିୟନକୁ ଅନୁମୋଦନ କରିଥିଲା। ଏହି ବାଟାଲିୟନ ଦିଲ୍ଲୀ ନିକଟରେ ପ୍ରତିଷ୍ଠା କରାଯାଉଛି ଏବଂ ଏହାର ମହିଳା ସୁରକ୍ଷା କର୍ମୀମାନଙ୍କୁ ସଂସଦ ଭବନ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ଜାତୀୟ ରାଜଧାନୀରେ ଥିବା ଅନ୍ୟାନ୍ୟ ପ୍ରମୁଖ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ନିୟୋଜିତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ