Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ଯୁବ ଛାତ୍ର ନେତାଙ୍କ ମେଳି, ଶଙ୍ଖ ଭବନରେ ପ୍ରତିବାଦର ସ୍ବର

ବିଜେଡି ଯୁବ ଓ ଛାତ୍ର ସଭାପତିଙ୍କ ନାମ ଘୋଷଣାକୁ ନେଇ ଦଳ ଭିତରେ କେଁ ଦେଖାଗଲାଣି। ଦଳର ନିଷ୍ପତ୍ତିକୁ କିଛି ଯୁବ ଓ ଛାତ୍ର ନେତା ଗ୍ରହଣ କରିପାରି ନାହାନ୍ତି। ଆଜି ଭୁବନେଶ୍ବରରେ ବିଜେଡି ଯୁବ ଓ ଛାତ୍ରନେତା ଏକାଧିକ ସ୍ଥାନରେ ମେଳି କରିଥିଲେ। କେବଳ ସେତିକି ନୁହେଁ, ଆଗାମୀ ଦିନରେ ବଡ଼ଧରଣର ବିଦ୍ରୋହ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

ବିଜେଡିରେ ଏକାଧିକ ଯୁବ ଓ ଛାତ୍ର ନେତା ଦୁଇ ଶାଖାର ସଭାପତି ହେବା ପାଇଁ ଲବି ଚଳାଇଥିଲେ। ଅଗଷ୍ଟ ୨୬ରେ ବିଜେଡିର ଯୁବ ସଭାପତି ଭାବେ ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଭାବେ ଇପ୍ସିତା ସାହୁଙ୍କ ନାମ ଘୋଷଣା କରାଯାଇଥିଲା। କେଉଁ ଆଧାରରେ ଓ କାହାର ଲବିରେ ଉଭୟଙ୍କ ଚୟନ କରାଗଲା, ତାହାକୁ ନେଇ ଖୋଳତାଡ଼ ଚାଲିଛି। ନିଯୁକ୍ତି ପରଦିନ ସେମାନେ ମଙ୍ଗୁଆଳ ସାଜିଥିବା ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ ବି ସେମାନେ ଏ ସମ୍ପର୍କରେ ଜାଣି ନଥିବା କହିଥିଲେ। ଏହି ନିଯୁକ୍ତି ସେମାନଙ୍କ ଜ୍ଞାତସାରରେ ହୋଇ ନାହିଁ ବୋଲି ରୋକ୍ଠୋକ ଜଣାଇଥିଲେ। ଆଜି ପୂର୍ବାହ୍ନରେ ରାଜଧାନୀର ଏକ ମଣ୍ଡପରେ ୪୦ରୁ ଅଧିକ ଛାତ୍ର ନେତା ଏକାଠି ହୋଇ ଦଳର ଏକପାଖିଆ ନିଷ୍ପତ୍ତି ନେଇ ଆଲୋଚନା କରିଥିଲେ। ଖୁବ୍ଶୀଘ୍ର ସେମାନେ ନବୀନଙ୍କୁ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି। ଛାତ୍ର ଶାଖାର ପୂର୍ବ କମିଟିରେ କାର୍ଯ୍ୟକାରୀ ସଭାପତି ଥିବା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ରାଜେଶରାଜ ସ୍ବାଇଁ, ପୂର୍ବତନ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ପୂର୍ବତନ ବରିଷ୍ଠ ଉପସଭାପତି ପ୍ରଦୋଷ ପରିଡ଼ାଙ୍କ ସମେତ ଅନେକ ଛାତ୍ରନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ପରେ କେତେଜଣ ଛାତ୍ରନେତା ଗଣମାଧ୍ୟମରେ କହିଥିଲେ ଯେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ଓ ସାଙ୍ଗଠନିକ ସ୍ଥିତି ନେଇ ଏକାଠି ହୋଇଥିଲୁ। ଦଳର ଛାତ୍ର ଓ ଯୁବ ନେତାମାନେ ଏକତ୍ର ହୋଇ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ସମେତ ବହୁ ନେତାଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। ରାତିରେ ଏକ ତାରକା ହୋଟେଲ, ଜଣେ ଯୁବନେତାଙ୍କ ବାସଭବନରେ ଛାତ୍ର ଓ ଯୁବନେତାମାନେ ପୃଥକ ପୃଥକ ମେଳି କରିଥିବା ସୂଚନା ମିଳିଛି। ସନ୍ଧ୍ୟାରେ କିଛି ଯୁବନେତା ଶଙ୍ଖ ଭବନକୁ ଯାଇ ହୋହଲ୍ଲା କରିଥିଲେ। ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଭେଟି ନିଷ୍ପତ୍ତିର ପ୍ରତିବାଦ କରିଥିଲେ। ଶ୍ରୀ ମିଶ୍ର ସେମାନଙ୍କୁ ବୁଝାସୁଝା କରିବା ସହ ଏ ସମ୍ପର୍କରେ ଉପରେ କଥା ହେବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ