Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସହାୟ ପରିବାର; ଆହା କରିବାକୁ କେହି ନାହାନ୍ତି

ଖଡ଼ିଆଳ : ବଡ଼ପୁଅ ମାନସିକ ରୋଗୀ, ମଝିଆ ପୁଅକୁ ବ୍ରେନ ଟ୍ୟୁମର। ଚିକିତ୍ସା ପାଇଁ ଅର୍ଥ ବାଧକ। ଢୋକେ ପିଇ ଦଣ୍ଡେ ଜିଉଁଛନ୍ତି ଚାରି ପ୍ରାଣୀ କୁଟୁମ୍ବ। ଆହା ସାହା ହେବାକୁ କେହିନାହିଁ। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତର ଚଉଁରା ଗ୍ରାମର କପୁର ବନଛୋର। ବୟସର ଅପରାହ୍ଣରେ ଠିଆ ହୋଇଥିବା ଏହି ମହିଳାଙ୍କ ଦୁଃଖ କହିଲେ ନସରେ।ତିନି ତିନିଟି ପୁଅର ମାଆ ହୋଇ ମଧ୍ୟ ସେ ଆଜି ଅସହାୟ। କାରଣ ତାଙ୍କର ବଡ଼ ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆ ପୁଅକୁ ବ୍ରେନ ଟ୍ୟୁମର। ସାନ ପୁଅ ଦାଦନ ଗଲେ ପରିବାର ଚଳେ। କୋଡିଏ ବର୍ଷ ତଳେ ସ୍ୱାମୀ ଦନାର ବନଛୋରଙ୍କ ମୃତ୍ୟୁ ଘଟିଲା। ଦନାର ମଖାପଦର ପଞ୍ଚାୟତରେ ପିଅନ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ମୃତ୍ୟୁ ପରେ କପୁରଙ୍କୁ ସେହି ପଞ୍ଚାୟତରେ ସ୍ୱିପର ପଦବୀରେ ରଖାଯାଇଛି। ଦରମା ମାସକୁ ମାତ୍ର ସାଢ଼େ ଚାରିଶହ ଟଙ୍କା। ତାହା ପୁଣି ଦୁଇ ତିନି ବର୍ଷରେ ଥରେ ମିଳେ।ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋଗ୍ରାମ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା।କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି। ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଳି ମଜୁରୀ କରି ପରିବାର ଚଳାଉଥିଲେ। କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ। ଗତବର୍ଷ ଭୀମସେନଙ୍କ ମୁଣ୍ଡ ଭୀଷଣ ବ୍ୟଥା ହେବାକୁ ଲାଗିଲା। ତାଙ୍କୁ ଖଡ଼ିଆଳ ସ୍ଥିତ ମିଶନ ହସ୍ପିଟାଲରେ ଦେଖାଇବାରୁ ବ୍ରେନ ଟ୍ୟୁମର ହୋଇଥିବା ଜଣା ପଡିଲା।ସେଠାରେ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅନ୍ୟ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ କର୍ତ୍ତୃପକ୍ଷ। ଅଭାବୀ କପୁରଙ୍କ ପାଇଁ ଲୁହ ଝରାଇବା ଛଡା ଅନ୍ୟ ଉପାୟ ନଥିଲା। କାରଣ ପୁଅକୁ ଚିକିତ୍ସା କରାଇବା ପାଇଁ ଫଟା ପାହୁଲା ଟାଏ ତାଙ୍କ ପାଖରେ ନଥିଲା। କିନ୍ତୁ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ଗ୍ରାମବାସୀ। ଗାଁ ଲୋକେ ଚାନ୍ଦା କରି ରାୟପୁର ସ୍ଥିତ ବାଲାଜି ହସ୍ପିଟାଲକୁ ଭୀମସେନକୁ ନେଇ ଭର୍ତ୍ତି କରାଇଲେ। ସେଠାରେ ପନ୍ଦର ଦିନ ରହି ଅସ୍ତ୍ରୋପଚାର କରାଇ ଭଲ ଲାଗିବାରୁ ଘରକୁ ଫେରି ଆସିଲେ।ପୁଣି ମଝିରେ ଦୁଇଥର ସେହି ହସ୍ପିଟାଲରେ ଦେଖାଇଲେଣି। ଏବେ ପୁଣି ତାଙ୍କୁ ଭୀଷଣ ଦରଦ ସହ ଦୁଇ ତିନି ଦିନରେ ସେ ସଂଜ୍ଞାହୀନ ହୋଇ ପଡୁଛନ୍ତି। କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି। କପୁରଙ୍କ ସାନ ପୁଅ ପରିବାର ଚଳାଇବା ପାଇଁ ବର୍ଷର ଅର୍ଦ୍ଧାଧିକ ସମୟ ଆନ୍ଧ୍ରପ୍ରଦେଶ ଦାଦନ ଯାଆନ୍ତି। କପୁରଙ୍କ ପରିବାର ପାଖରେ ସ୍ମାର୍ଟ କାର୍ଡ ଥିଲେ ମଧ୍ୟ ତାହା କେମିତି କାମ ଦେଵ ସେମାନେ ଜାଣି ନାହାନ୍ତି। ସେ ସ୍ୱିପର ଭାବରେ କାମ କରୁଥିଲେ ମଧ୍ୟ ଠିକ ସମୟରେ ପାଉଣା ପାଉ ନାହାଁନ୍ତି।ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ପ୍ରଶାସନର ଏପରି ନୀତି ଅତୀବ ନିନ୍ଦନୀୟ। ତାଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ସହ ମାଆର ପଦବୀକୁ ନିୟମିତ କରିବାକୁ ଭୀମସେନ ଦାବି କରିଛନ୍ତି। ତାଙ୍କର ଚିକିତ୍ସା ବିଷୟରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଶ୍ରୀମାନ ସାହୁଙ୍କୁ ପଚାରିବାରୁ ସେ ନିଜେ ଯାଇ ତାଙ୍କୁ ଦେଖି ଆସିବେ ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ନୂଆପଡ଼ା ପଠାଇ ଚିକିତ୍ସା ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ